ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ


 ଝାରସୁଗୁଡ଼ା ଜିଲ୍ଲାର ସ୍ଥାନୀୟ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଶିଳ୍ପ-ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ସଙ୍ଗୀତା ମେହେରଙ୍କ ସମେତ ବିଭିନ୍ନ ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ କାର୍ଯ୍ୟରତ ବଡ଼ ବଡ଼ କମ୍ପାନୀଗୁଡ଼ିକ କିଭଳି ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ଥାନୀୟ ପ୍ରତିଭାମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ପ୍ରଦାନ କରିବେ, ସେ ନେଇ ଏହି ବୈଠକରେ ବିସ୍ତୃତ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ବଡ଼ କମ୍ପାନୀଗୁଡ଼ିକୁ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାକିରି ପାଇଁ ଥିବା ବିଭିନ୍ନ ଯୋଗ୍ୟତା ମାପଦଣ୍ଡକୁ କୋହଳ କରିବାକୁ କହିଛନ୍ତି। ବିଶେଷ କରି ଚାକିରି ପାଇଁ ଆବଶ୍ୟକ ହେଉଥିବା ପୂର୍ବ ଅଭିଜ୍ଞତାର ଅବଧିକୁ କମାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି, ଯାହାଦ୍ୱାରା ଫ୍ରେସର ଛାତ୍ରଛାତ୍ରୀମାନେ ସହଜରେ ନିଯୁକ୍ତି ପାଇପାରିବେ। ଏହାଛଡ଼ା, ନିଯୁକ୍ତି ମେଳାରୁ ଚୟନ ହେଉଥିବା କିମ୍ବା ୧ ବର୍ଷର ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆପ୍ରେଣ୍ଟିସିପ୍‌ ମାଧ୍ୟମରେ ସୁଯୋଗ ଦେଇ ଅଭିଜ୍ଞତା ସୀମାକୁ କାଟ୍‌ଛାଟ୍ କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଝାରସୁଗୁଡ଼ାର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀ ଯେଭଳି ଏହିସବୁ କମ୍ପାନୀରେ ନିଯୁକ୍ତି ପାଇପାରିବେ, ସେଥିପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ ଆଗେଇ ଆସିବାକୁ ସେ ଆହ୍ୱାନ କରିଛନ୍ତି। ଆସନ୍ତା ଡିସେମ୍ବର ୨୦୨୬ରେ ଏକ ଜିଲ୍ଲା ସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ସମସ୍ତ ଶିଳ୍ପସଂସ୍ଥା ସେମାନଙ୍କ ଠିକାଦାର ଓ ଭେଣ୍ଡରମାନଙ୍କ ସହ ସର୍ବାଧିକ ସଂଖ୍ୟକ ନିଯୁକ୍ତି ସହ ଅଂଶଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ପାଇଁ ଜିଲ୍ଲାପାଳ ସମସ୍ତ ବୃହତ କମ୍ପାନୀକୁ ସରକାରୀ ITI ଏବଂ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀଗୁଡ଼ିକ ସ୍ଵେଚ୍ଛାକୃତ ଭାବେ ଆଗେଇ ଆସି ITI ଏବଂ JES ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବା ଆବଶ୍ୟକ। ଏହି ବୁଝାମଣା ଅନୁଯାୟୀ, କମ୍ପାନୀର ଅଭିଜ୍ଞ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ଗେଷ୍ଟ ଲେକ୍ଚରର୍ ଭାବେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ। ଏହା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମିତ ଇଣ୍ଡଷ୍ଟ୍ରି ଭିଜିଟ୍, କମ୍ପାନୀର କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା ଏବଂ ସେମାନଙ୍କ ସଫ୍ଟ ସ୍କିଲ୍ ତଥା ଗ୍ରୁମିଙ୍ଗ୍‌ ସେସନ ଉପରେ ସଶକ୍ତ ଭାବେ କାର୍ଯ୍ୟ କରାଯିବ। ଦଶମ, ଦ୍ୱାଦଶ, ITI, ଡିପ୍ଲୋମା, ବି.ଟେକ୍, ଗ୍ରାଜୁଏଟ୍, MBA ଏବଂ MCA ଛାତ୍ରଛାତ୍ରୀଙ୍କୁ କମ୍ପାନୀର ଆବଶ୍ୟକତା ମୁତାବକ ଗ୍ରୁମିଙ୍ଗ କରାଯିବ। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଶିଳ୍ପସଂସ୍ଥାକୁ ସେମାନଙ୍କର ଆସନ୍ତା ଆର୍ଥିକ ବର୍ଷର ଆବଶ୍ୟକୀୟ ଦକ୍ଷତାର ନିୟମିତ ତାଲିକା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ହେବ। କମ୍ପାନୀଗୁଡ଼ିକର ଆବଶ୍ୟକତା ଅନୁଯାୟୀ, ଝାରସୁଗୁଡ଼ା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ତାଲିମ ପାଇଁ 'ୱାର୍ଲ୍ଡ ସ୍କିଲ୍ ସେଣ୍ଟର'କୁ ପଠାଯିବ ଏବଂ ଶିଳ୍ପଭିତ୍ତିକ ଚାହିଦା ଅନୁଯାୟୀ ନୂତନ ଆଧୁନିକ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ। ପ୍ରଶାସନ ପକ୍ଷରୁ ପ୍ରତି ମାସରେ ଶିଳ୍ପସଂସ୍ଥାଗୁଡ଼ିକୁ ନେଇ ଏକ ସମୀକ୍ଷା ବୈଠକ କରାଯିବ, ଯେଉଁଥିରେ କମ୍ପାନୀଗୁଡ଼ିକ ସଠିକ୍ ଭାବେ ଆପ୍ରେଣ୍ଟିସିପ୍ ଆକ୍ଟ ଅନୁଯାୟୀ ତାଲିମ ପ୍ରଦାନ କରୁଛନ୍ତି କି ନାହିଁ ଏବଂ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେଉଛନ୍ତି କି ନାହିଁ, ତାର ତଦାରଖ କରାଯିବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done