ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଝାରସୁଗୁଡ଼ାର କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ


 ଝାରସୁଗୁଡ଼ା ଜିଲ୍ଲାର କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଥିବା ୫ମ ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍- ୨୦୨୬ରେ ଝାରସୁଗୁଡ଼ା ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିଥିବା ସମସ୍ତ କୃତୀ କ୍ରୀଡ଼ାବିତମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଅଞ୍ଚଳରୁ ଆସିଥିବା ସମୁଦାୟ ୫୫ ଜଣ ପ୍ରତିଭାବାନ ହକି ଖେଳାଳିଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ସଫଳ ଅଂଶଗ୍ରହଣ ପାଇଁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ କ୍ରୀଡ଼ାବିତମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ସେ କହିଛନ୍ତି ଯେ, କ୍ରୀଡ଼ା କ୍ଷେତ୍ରରେ ନିରନ୍ତର ପରିଶ୍ରମ, ଅଧ୍ୟବସାୟ ଓ ନିଷ୍ଠା ବଳରେ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିବା ସହ ପଦକ ଜିତିବା ଆମର ମୂଳ ଲକ୍ଷ୍ୟ ହେବା ଉଚିତ। ଜିଲ୍ଲାର ଖେଳାଳିମାନଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା, ଉନ୍ନତ ପ୍ରଶିକ୍ଷଣ ଏବଂ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ସଦାସର୍ବଦା ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି। ଏହି ପ୍ରକାର ସମ୍ବର୍ଦ୍ଧନା ଯୁବ ଖେଳାଳିମାନଙ୍କ ମନରେ ନୂତନ ଉତ୍ସାହ, ଆତ୍ମବିଶ୍ୱାସ ଓ ଆଗକୁ ବଢ଼ିବାର ପ୍ରେରଣା ସୃଷ୍ଟି କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍‌ରେ ଝାରସୁଗୁଡ଼ା ଜିଲ୍ଲାର ଜବାହର ନବୋଦୟ ବିଦ୍ୟାଳୟ, ଆର.କେ. ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ଲୁ ବେଲ୍ ସ୍କୁଲ, ସେଣ୍ଟ ଜୋସେଫ କନଭେଣ୍ଟ, ସେଣ୍ଟ ଭିନସେଣ୍ଟ ପାଲୋଟି, କକ୍ସ କଲୋନୀ ଓଡ଼ିଆ ସ୍କୁଲ, ଏଲ.ଏନ. କଲେଜ ଏବଂ ପି.କେ.ଏସ.ଏସ. ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ଖେଳାଳିମାନେ ଭାଗ ନେଇଥିଲେ। ଜିଲ୍ଲାର ପ୍ରମୁଖ ଆଗଧାଡ଼ିର ଖେଳାଳିଙ୍କ ସମେତ ସମସ୍ତ ୫୫ ଜଣ ପ୍ରତିଭାବାନ ମହିଳା କ୍ରୀଡ଼ାବିତଙ୍କ ଏହି ସଫଳତା ସମଗ୍ର ଜିଲ୍ଲା ପାଇଁ ଗୌରବର ବିଷୟ ସାଜିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣକେଶି ବଳିୟାରସିଂହ, ବିଭାଗୀୟ ଅଧିକାରୀ ଏବଂ ବିଦ୍ୟାଳୟର ପ୍ରଶିକ୍ଷକମାନେ ଉପସ୍ଥିତ ରହି ଉଦୀୟମାନ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done