ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠରେ 'ମହାସମାଧାନ ଶିବିର'; ୭୯ଟି ଅଭିଯୋଗର ଶୁଣାଣି*


 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଭିଯୋଗ ପ୍ରକୋଷ୍ଠ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ତଥା ‘ମହାସମାଧାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି. ଆର. ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଲଳିତ ସୋରେନ, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଢ଼ୀ ଏବଂ ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ସମୀକ୍ଷା କରିଥିଲେ।

ଏହି ଶିବିରରେ ସମୁଦାୟ ୭୯ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୫୭ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୨୨ଟି ସାମୂହିକ ବା ଗୋଷ୍ଠୀଗତ ସମସ୍ୟା ରହିଥିଲା। ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ୨ଟି ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ଘଟଣାସ୍ଥଳରେ ହିଁ ତତ୍କାଳ ସମାଧାନ କରାଯାଇଥିଲା। ବାକି ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆଶୁ ପଦକ୍ଷେପ ନେବା ପାଇଁ ହସ୍ତାନ୍ତର କରାଯାଇଛି।

ମୌସୁମୀ ସମୟରେ ପୌରାଞ୍ଚଳ, ବିଭିନ୍ନ ଆବାସିକ କୋଠା ଏବଂ କଲୋନୀଗୁଡ଼ିକରେ ସୃଷ୍ଟି ହେଉଥିବା ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାକୁ ଜିଲ୍ଲାପାଳ ଗମ୍ଭୀରତାର ସହ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ଡ୍ରେନେଜ୍ ବ୍ୟବସ୍ଥାର ସମୀକ୍ଷା ଓ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମାନବିକତା ଦୃଷ୍ଟିକୋଣରୁ, ଆବଶ୍ୟକ କାଗଜପତ୍ରର ଅଭାବ ସତ୍ତ୍ୱେ ଜଣେ ଅସହାୟ ବ୍ୟକ୍ତିଙ୍କ ଚିକିତ୍ସା ଓ ଯତ୍ନ ପାଇଁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମାଧାନ ଶିବିରରେ ମୁଖ୍ୟତଃ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ, ରାସନ କାର୍ଡରୁ ନାମ କଟିଯିବା, ନିଯୁକ୍ତି ସମ୍ବନ୍ଧୀୟ ସମସ୍ୟା, ଜମି ପଟ୍ଟା ବା ଏଲ.ଆର.ସି  ମିଳିବାରେ ସମସ୍ୟା, ବିଦ୍ୟୁତ ସବ୍-ଷ୍ଟେସନ ପ୍ରତିଷ୍ଠା, ଅବକାରୀ ସମ୍ପର୍କିତ ମାମଲା, ସରକାରୀ ଜମି ବିବାଦ, ବେଆଇନ ମଦ ଭାଟି ସମ୍ବନ୍ଧୀୟ, ଜାତୀୟ ରାଜପଥ-୪୯ର ସମସ୍ୟା ଏବଂ ଆୟୁଷ ହସ୍ପିଟାଲରେ ଔଷଧ ସେବା ଯୋଗାଣ ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆବେଦନ ଆସିଥିଲା। ଏହି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆବଶ୍ୟକୀୟ ପରାମର୍ଶ ଓ ପ୍ରତିଶ୍ରୁତି ଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done