ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ*


 ଆଜି ଡିଏମଏଫ୍ ସମ୍ମିଳନୀ କକ୍ଷଠାରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି. ଆର୍. ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗଡତିଆ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ୍ ମହାରଣାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ଜିଲ୍ଲାର ମହିଳା ଓ ଶିଶୁମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ବିକାଶ ସମ୍ପର୍କିତ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେପରିକି, ଜିଲ୍ଲାରେ ଘଟୁଥିବା ନାବାଳକ ଜନିତ ଅପରାଧ ଉପରେ କଡ଼ା ନଜର ରଖିବା ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ହେଉଥିବା ଚୋରି ଘଟଣା ଉପରେ ତୁରନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ପୋଲିସ ପ୍ରଶାସନ ସହାୟତାରେ ବିନା କୌଣସି ବିଳମ୍ବରେ ଶିଶୁ ମଙ୍ଗଳ ସମିତି ନିକଟରେ ହସ୍ତାନ୍ତର କରିବାକୁ କୁହାଯାଇଛି।

ଘରୋଇ ହିଂସାର ଶିକାର ହେଉଥିବା ମହିଳା ଓ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ କ୍ଲିନିକାଲ୍ ଏବଂ ସାମାଜିକ ପୁନର୍ବାସ ଯୋଗାଇଦେବା ସହ ଖାଲିଥିବା କର୍ମଚାରୀ ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।ଝାରସୁଗୁଡ଼ା ଏକ ଶିଳ୍ପଭିତ୍ତିକ ଜିଲ୍ଲା ହୋଇଥିବାରୁ ଏଠାରେ ଯୁବପିଢ଼ିଙ୍କୁ ନିଶା ଶିକାରରୁ ରକ୍ଷା କରିବା ପାଇଁ "ସମ୍ପୂର୍ଣ୍ଣ ନିଶାମୁକ୍ତ ଜିଲ୍ଲା" ଅଭିଯାନ ଉପରେ ପ୍ରଶାସନକୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ଏହା ସହିତ ସୋସିଆଲ ମିଡିଆରେ ହେଉଥିବା ସାଇବର ପ୍ରତାରଣାରୁ କିଶୋରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ 'ଅଦ୍ଵିକା' କାର୍ଯ୍ୟକ୍ରମ ମାଧ୍ୟମରେ ନିୟମିତ ଭାବେ ସାଇବର ସଚେତନତା ଶିବିର ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାରେ ବାଲ୍ୟ ବିବାହ ରୋକିବା, 'ୱାନ୍ ଷ୍ଟପ୍ ସେଣ୍ଟର'ର ସଫଳ ପରିଚାଳନା ଏବଂ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଜିଲ୍ଲାରେ ପୋଷଣ ଟ୍ରାକର ଏବଂ NFHS ସର୍ଭେ ତଥ୍ୟ ମଧ୍ୟରେ ଥିବା ତ୍ରୁଟିପୂର୍ଣ୍ଣ ଡାଟା ଉପରେ ସଚିବ ସନ୍ତୋଷ ପ୍ରକାଶ କରିନାହାନ୍ତି। ଏଣିକି ପ୍ରକୃତ ଓ ସଠିକ୍ ଡାଟା ଉପଲବ୍ଧ କରିବା ପାଇଁ ଆସନ୍ତା ଜୁଲାଇ ୧୫ ତାରିଖରୁ ଜିଲ୍ଲାରେ ନୂତନ IoT ଭିତ୍ତିକ ଡିଭାଇସ୍ ପ୍ରଦାନ କରାଯିବ, ଯାହା ଦ୍ୱାରା ଶିଶୁଙ୍କ ଓଜନ ଓ ସ୍ୱାସ୍ଥ୍ୟର ସଠିକ୍ ମାପ ହୋଇପାରିବ। ଜିଲ୍ଲାରେ ଖରାପ ପ୍ରଦର୍ଶନ କରୁଥିବା ଅଙ୍ଗନବାଡ଼ି କେନ୍ଦ୍ର (Worst performing AWCs) ଏବଂ ICDS ପ୍ରୋଜେକ୍ଟଗୁଡ଼ିକୁ ଚିହ୍ନଟ କରି ସେଠାରେ ସେବାର ମାନ ବଢ଼ାଇବା ପାଇଁ ସୂଚନା ଦିଆଯାଇଛି। ଏଥିସହ ଜିଲ୍ଲାରେ 'ପୋଷଣ ଅଭିଭାବକ' (Poshan Abhibhabak) ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ନୂତନ ପୋଷଣ ଅଭିଭାବକମାନଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟେକ ୨ ରୁ ୩ଟି ଲେଖାଏଁ ଅଙ୍ଗନବାଡ଼ି କେନ୍ଦ୍ରର ଦାୟିତ୍ୱ ନେଇ ନିୟମିତ ତଦାରଖ କରିବେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done