ପରିବାର ସହ ଯାଇଥିଲେ ହସ ଖୁସିରେ ସମୟ ଅତିବାହିତ କରିବା ପାଇଁ । ହେଲେ ଏହା ଜୀବନର ଶେଷ ହସ ଖୁସି ଥିଲା ପରିବାର ସହିତ । ନଦୀରେ ଗାଧେଇବା ପାଇଁ ଯାଇ ଜୀବନ ହାରିଲେ ଦୁଇ ଯୁବକ । ମୃତ ଦୁଇ ଯୁବକ ଇବ ନଦୀ ଉପରେ ନୂତନ ଭାବରେ ନିର୍ମାଣ ହୋଇଥିବା ନଦୀବନ୍ଧ ଅଞ୍ଚଳକୁ ପରିବାର ସହ ଭୋଜି କରିବା ପାଇଁ ଯାଇଥିଲେ । ସେଠାରେ ନଦୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ଯୁବକ ନଦୀରେ ବୁଡ଼ି ଯାଇଥିଲେ । ପାଖରେ ଥିବା ଲୋକମାନେ ଉଭୟଙ୍କୁ ପାଣିରୁ ଉଦ୍ଧାର କରିବା ସହ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଯୁବକ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଦ୍ୱୟ ଚୌକିପଡ଼ାର ପଙ୍କଜ କୁମାର ସାହୁ ଏବଂ ଗିରିଜା ଶଙ୍କର ସାହୁ ବୋଲି ଜଣାପଡିଛି । ଘଟଣାର ଖବର ପାଇ ପୋଲିସ୍ ଡାକ୍ତରଖାନାକୁ ପହଞ୍ଚି ଥିଲା । ଯୁବକ ଦ୍ୱୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ପଙ୍କଜ ଏବଂ ଗିରିଜାଙ୍କ ମୃତ୍ୟୁ ଘଟଣା ପରିବାର ଲୋକଙ୍କୁ ମର୍ମାହତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


0 Comments