ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ଝାରସୁଗୁଡ଼ା ଜିଲା ବେଲପାହାଡ଼ସ୍ଥିତ ମିରର୍ ଥିଏଟର ପାଇଁ ଟିଆରଏଲ୍ କ୍ରୋସାକି କମ୍ପାନୀ ପକ୍ଷରୁ ସିଏସଆର ଅଧୀନରେ ନବନିର୍ମିତ ଅଡିଟୋରିୟମ୍ ଉଦଘାଟିତ ହୋଇଯାଇଛି। ଦୀର୍ଘ ବର୍ଷରୁ ମିରର୍ ଥିଏଟରର ନିଜସ୍ୱ ଏକ ଅଡିଟୋରିୟମ୍ ନଥିବାରୁ ନାଟ୍ୟ ପ୍ରଦର୍ଶନ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନେକ ସମସ୍ୟା ଦେଖାଦେଉଥିଲା। ବର୍ତ୍ତମାନ ଏହି ଅଡିଟୋରିୟମର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ କଳାକାର ମହଲରେ ଖୁସିର ଲହରୀ ଖେଳି ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଆରଏଲ୍ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ଦାଶ ଯୋଗଦେଇ ଏହାର ଶୁଭ ଉଦଘାଟନ କରି କଳାକାରଙ୍କୁ ଉତ୍ସାହିତ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧିକାରୀ ସୁରେଶ ନାଏକ, ଡ. ସନ୍ତୋଷ ମିଶ୍ର ଓ ସ୍ଥାନୀୟ ପୌର କାଉନସିଲର କହ୍ନେଇ ଚରଣ ସେଠ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ଶଶାଙ୍କ ଦୀକ୍ଷିତ, ଦୀପକ ସାହୁ, ସ୍ମୃତି ମହାନ୍ତି, କୁଳମଣି ବଗାର, ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, ଜେନାମଣି ସେଠ, ଶରତ ସାହୁ, ରମାକାନ୍ତ ମଲ୍ଲିକ, ନରେନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜକ ମିରର୍ ଥିଏଟର ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନ ମିରର୍ ଥିଏଟରର ସଂଘର୍ଷ ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସରୋଜ ମିର୍ଦ୍ଧା ମଞ୍ଚ ସଞ୍ଚାଳନ ଓ ଡା. ଦିଲୀପ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ଏହି ନବନିର୍ମିତ ଅଡିଟୋରିୟମ୍ ତଥା ମଞ୍ଚରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ନାଟ୍ୟ ମହୋତ୍ସବ, ନାଟ୍ୟ କର୍ମଶାଳା ତଥା ନାଟ୍ୟ ଆଲୋଚନା ଚକ୍ର ଆୟୋଜନ କରାଯିବ ବୋଲି ମିରର୍ ଥିଏଟର ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।


0 Comments