ରାଜ୍ୟ ସରକାରଙ୍କ ‘ମିଶନ ବାତ୍ସଲ୍ୟ’ ଅଭିଯାନ ଅଧୀନରେ ଝାରସୁଗୁଡ଼ା ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଥଇଥାନ କ୍ଷେତ୍ରରେ ଏକ ପ୍ରଶଂସନୀୟ ପଦକ୍ଷେପ ଦେଖିବାକୁ ମିଳିଛି। ଆଜି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସ ତିନିଜଣ ଶିଶୁଙ୍କ (ଦୁଇଜଣ ପୁତ୍ର ଓ ଜଣେ କନ୍ୟା) ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚୂଡ଼ାନ୍ତ ପୋଷ୍ୟ ସନ୍ତାନ ଗ୍ରହଣ ଆଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଆବେଦନ କରିଥିବା ପରିବାର ମାନଙ୍କର ସମସ୍ତ ଯୋଗ୍ୟତା ଓ ପୃଷ୍ଠଭୂମି ଯାଞ୍ଚ ପରେ ଭୁବନେଶ୍ୱର, ପଶ୍ଚିମବଙ୍ଗ ଏବଂ କେରଳରୁ ଆସିଥିବା ତିନୋଟି ଦମ୍ପତିଙ୍କୁ ଏହି ଶିଶୁମାନଙ୍କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଛି।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ପ୍ରକ୍ରିୟାକୁ ସୁପରିଚାଳିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଏହି ଅବସରରେ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ, ଶିକ୍ଷା ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲା ପ୍ରଶାସନର ଏହି ତ୍ୱରିତ ଓ ଆଇନଗତ ପଦକ୍ଷେପ ଯୋଗୁଁ ଶିଶୁମାନେ ଏକ ସୁରକ୍ଷିତ ପାରିବାରିକ ପରିବେଶ ପାଇବାରେ ସଫଳ ହୋଇପାରିଛନ୍ତି।


0 Comments