ଝାରସୁଗୁଡ଼ା, ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଲାଇକେରା ବ୍ଲକ ଅନ୍ତର୍ଗତ ଭାତଲାଇଡା କିଷାନ ଭବନ ପରିସରରେ ଜିଲ୍ଲା ସ୍ତରୀୟ ‘ମାଣ୍ଡିଆ ମଣ୍ଡି’ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ମାଣ୍ଡିଆ ଚାଷର ଉପକାରିତା, ଏହାର ବଜାର ବ୍ୟବସ୍ଥା ଏବଂ ସରକାରୀ ପ୍ରୋତ୍ସାହନ ମାଧ୍ୟମରେ ଚାଷୀମାନେ କିପରି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିବେ, ସେ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନନ୍ଦ, ଏ ଆର ସି ଏସ ଝାରସୁଗୁଡ଼ା, ଭାତଲାଇଡା ସରପଞ୍ଚ ଶ୍ରୀ ଦୁଷ୍ମନ୍ତ ଭୋଇ, ସାହସପୁର ସରପଞ୍ଚ ଶ୍ରୀମତୀ ସୁକାନ୍ତୀ ଜୟପୁରିଆ, ସମିତି ସଭ୍ୟ ଶ୍ରୀ ମନମୋହନ କନସାରୀ ଏବଂ ଆଇଆଇସି ଲାଇକେରା ଶ୍ରୀ କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମଣ୍ଡିର ପ୍ରଥମ ଦିନରେ ପ୍ରାୟ ୧୦୦ ରୁ ଅଧିକ ଚାଷୀ ଯୋଗ ଦେଇଥିବା ବେଳେ ପ୍ରାୟ ୧୦୦ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିଲା। ଚାଷୀମାନଙ୍କୁ ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ୭ ଦିନ ମଧ୍ୟରେ ପଠାଯିବ। ପରିଶେଷରେ ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ମଧୁସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


0 Comments