ଝାରସୁଗୁଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ହ୍ରାସ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ (ଆଇ.ଏ.ଏସ୍)ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନ, ପିଲାମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଏବଂ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଆଦି ବିଭିନ୍ନ ସମ୍ବେଦନଶୀଳ ଆଇନଗତ ଦିଗ ଉପରେ ଏହି ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିସହ କିଶୋରୀ ବାଳିକାମାନଙ୍କ ଅଧିକାର ଓ ସୁରକ୍ଷା ସମ୍ବନ୍ଧିତ ଆଇନ୍, ପକ୍ସୋ ଆଇନ୍, ବାଲ୍ୟ ବିବାହ ଆଇନ୍ ଏବଂ କାର୍ଯ ସ୍ଥଳରେ ଯୌନ ଉତ୍ପୀଡନ ସମ୍ବନ୍ଧିତ ଆଇନ୍ ବିଷୟରେ ଆଲୋଚନା ହୋଇଥିଲା। ଲିଙ୍ଗ ଭିତ୍ତିକ ହିଂସା ସମ୍ବନ୍ଧିତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ପୋଷ୍ଟରକୁ ମଧ୍ୟ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ।
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଏବଂ ସ୍ଵେଚ୍ଛାସେବୀ ସଂଗଠନ 'ସାହେଡ଼ା' ର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।


0 Comments