ଛତିଶଗଡ଼ରେ ମାଲବାହୀ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ। ୧୨ରୁ ଅଧିକ ଗୁରୁତର ।
ବାହାନଗା ରେଳ ଦୁର୍ଘଟଣାର ସ୍ମୃତି ଲିଭି ନଥିବା ବେଳେ ପୁଣି ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଛତିଶଗଡ଼ର ବିଳାସପୁର ରେଳ ଡିଭିଜନ ଅନ୍ତର୍ଗତ ଏକ ସ୍ଥାନରେ ଏକ ମାଲବାହୀ ଟ୍ରେନ୍ ଉପରେ ଯାତ୍ରୀବାହୀ ଟ୍ରେନ୍ଟି ମାଡ଼ିଯିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏଯାଏଁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଘଟଣା ପରେ ରେଳବାଇର ବରିଷ୍ଠ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୪ଟା ସମୟରେ ବିଳାସପୁର ଷ୍ଟେସନ ନିକଟରେ ଗେଭରା ରୋଡ୍ରୁ ବିଳାସପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଟ୍ରେନ୍, ନମ୍ବର ୬୮୭୩୩ ସମାନ ଟ୍ରାକ୍ରେ ଆଗରୁ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଯାତ୍ରୀବାହୀ ଟ୍ରେନ୍ର ଇଞ୍ଜିନ୍ ସମେତ କିଛି ବଗି ମାଲଗାଡ଼ି ଉପରକୁ ଚଢ଼ିଯାଇଥିଲା ଏବଂ ଅନେକ ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା।
ଖବର ପାଇ ସ୍ଥାନୀୟ ପ୍ରଶାସନ, ରେଳବାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ୟାସ୍ କଟର ସାହାଯ୍ୟରେ କ୍ଷତିଗ୍ରସ୍ତ ବଗିଗୁଡ଼ିକୁ କାଟି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଯୋଗୁଁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ଏବଂ ଅନେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି।
ତେବେ କେଉଁ ପରିସ୍ଥିତିରେ ଗୋଟିଏ ଟ୍ରାକ୍ରେ ଦୁଇଟି ଟ୍ରେନ୍ ଆସିଲା, ତାହା ସିଗନାଲ୍ ତ୍ରୁଟି ନା ମାନବିକ ତ୍ରୁଟି, ସେନେଇ ରେଳବାଇ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।


0 Comments