ବିମାନ ଯାତ୍ରୀଙ୍କ ପକେଟକୁ ମିଳିବ ବଡ଼ ଆଶ୍ୱସ୍ତି । ଫ୍ଲାଇଟ୍ ଟିକେଟ୍ ବାତିଲ କଲେ ଆଉ କଟିବନି ମୋଟା ଅଙ୍କର ଟଙ୍କା ।
ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କଲେ କିମ୍ବା ଯାତ୍ରା ତାରିଖ ବଦଳାଇଲେ ଲାଗିବନି ଚାର୍ଜ ।
ବାରମ୍ବାର ବିମାନ ଟିକେଟ୍ ବାତିଲ କରି ମୋଟା ଅଙ୍କର କ୍ଷତି ସହୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏଣିକି ଫ୍ଲାଇଟ୍ ଟିକେଟ୍ ବୁକ୍ କରିବା ପରେ ଯୋଜନାରେ ପରିବର୍ତ୍ତନ ହେଲେ ଆଉ ପକେଟ ଉପରେ ଚାପ ପଡ଼ିବ ନାହିଁ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଅଣାଯାଇଛି, ଯାହା ଲାଗୁ ହେଲେ ଯାତ୍ରୀମାନେ ଟିକେଟ୍ ବୁକିଂର ୪୮ ଘଣ୍ଟା ମଧ୍ୟରେ ବିନା କୌଣସି ଶୁଳ୍କରେ ଟିକେଟ୍ ବାତିଲ କରିପାରିବେ କିମ୍ବା ଯାତ୍ରା ତାରିଖ ବଦଳାଇ ପାରିବେ।
ଡିଜିସିଏ ପକ୍ଷରୁ ଦିଆଯାଇଥିବା ନୂଆ ପ୍ରସ୍ତାବ ଅନୁଯାୟୀ, ଯଦି ଜଣେ ଯାତ୍ରୀ ଟିକେଟ୍ ବୁକ୍ କରିବାର ୪୮ ଘଣ୍ଟା ମଧ୍ୟରେ ତାହାକୁ ବାତିଲ କରନ୍ତି, ତେବେ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ କୌଣସି କ୍ୟାନସଲେସନ୍ ଚାର୍ଜ କାଟିପାରିବେ ନାହିଁ। ସେହିପରି, ଏହି ସମୟସୀମା ମଧ୍ୟରେ ଯାତ୍ରାର ତାରିଖ ପରିବର୍ତ୍ତନ କଲେ ମଧ୍ୟ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ। ଏହା ସହିତ ଟିକେଟ୍ ବାତିଲ କ୍ଷେତ୍ରରେ ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ଏହି ନୂଆ ଗାଇଡଲାଇନ୍ରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଯାତ୍ରୀମାନେ ଅଧିକ ସହଜରେ ଓ ବିନା କୌଣସି ଆର୍ଥିକ ଚିନ୍ତାରେ ନିଜର ଯାତ୍ରା ଯୋଜନା କରିପାରିବେ ବୋଲି ଆଶା କରାଯାଉଛି।


0 Comments