ବ୍ରଜରାଜନଗରରେ ଦାଦାବଟି ପାଇଁ ଜଣେ ପୌର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଲୁଟ୍ ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କ ସହ ୨ ଜଣ ନାବାଳକଙ୍କୁ ଗିରଫ କରିଛି। ସୂଚନା ଅନୁଯାଇ , ପୌରପରିଷଦର ସଫେଇ କର୍ମଚାରୀ ସୁଜିତ କୁମାର ହାତୀ ଗତ ୧୧ ତାରିଖ ସନ୍ଧ୍ୟାରେ ଗାୟତ୍ରୀନଗର ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଭୁଜାଲି ଓ ଛୁରୀ ଦେଖାଇ ଭୟଭୀତ କରିଥିଲେ। ସେମାନେ ତାଙ୍କ ଫୋନ୍ ପେ’ରୁ ଜୋରଜବରଦସ୍ତ ୨୪୦୦ ଟଙ୍କା ଲୁଟି ନେବା ସହ ‘ଡି ଗ୍ରୁପ୍’ ନାମରେ ନିୟମିତ ଚାନ୍ଦା ଦେବାକୁ ଧମକ ଦେଇଥିଲେ। ଏନେଇ ସୁଜିତଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ କରି ୩ ଅଭିଯୁକ୍ତ ସମ୍ବିତ କୁମାର ରାୟ, ଉମେଶ ଚୌହାନ, ଦୀପକ ସିଂ ଏବଂ ଦୁଇ ନାବାଳକଙ୍କୁ କାବୁ କରିଥିଲା | ତେବେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରଜରାଜନଗର ଏସ୍ଡିପିଓ ସୂଚନା ଦେଇଛନ୍ତି |


0 Comments