ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ, ଲାଲକିଲ୍ଲା ନିକଟରେ ଉଡ଼ିଲା କାର୍, ୮ ମୃତ।
ଫରିଦାବାଦରୁ ୨୯୦୦ କେଜି ବିସ୍ଫୋରକ ଜବତର କିଛି ଘଣ୍ଟା ପରେ ରାଜଧାନୀରେ ଆତଙ୍କୀ ହମ୍ଲା ସନ୍ଦେହ, ଦେଶବ୍ୟାପୀ ହାଇ ଆଲର୍ଟ।
ଦେଶର ରାଜଧାନୀ ଦିଲ୍ଲୀର ଅତି ସମ୍ବେଦନଶୀଳ ଅଞ୍ଚଳ ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ କାର୍ ବିସ୍ଫୋରଣରେ ଥରହର ହୋଇଉଠିଛି ସମଗ୍ର ଅଞ୍ଚଳ। ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ୍ ସମ୍ମୁଖରେ ହୋଇଥିବା ଏହି ଭୟାବହ ବିସ୍ଫୋରଣରେ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୬ଟା ୫୨ ମିନିଟ୍ରେ ଏକ ରେଡ୍ ଲାଇଟ୍ରେ ଅଟକିଥିବା କାର୍ଟି ହଠାତ୍ ବିସ୍ଫୋରିତ ହେବାରୁ ନିକଟରେ ଥିବା ଅନ୍ୟ ତିନୋଟି କାର୍, ଗୋଟିଏ ଅଟୋରିକ୍ସା ଏବଂ ଦୁଇଟି ଇ-ରିକ୍ସା ମଧ୍ୟ ନିଆଁ କବଳକୁ ଆସିଯାଇଥିଲା। ଏହି ଘଟଣା ପରେ ସମଗ୍ର ଦିଲ୍ଲୀ ସମେତ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି।
ବିସ୍ଫୋରଣର ମାତ୍ର କିଛି ଘଣ୍ଟା ପୂର୍ବରୁ ଦିଲ୍ଲୀ ନିକଟସ୍ଥ ଫରିଦାବାଦରୁ ତଦନ୍ତକାରୀ ସଂସ୍ଥା ପ୍ରାୟ ୨୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରିଥିବାରୁ ଏହା ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବୋଲି ସନ୍ଦେହ କରାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥିଲା ଏବଂ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତୁରନ୍ତ ଲାଲକିଲ୍ଲା ଏବଂ ଚାନ୍ଦିନୀ ଚୌକ ଭଳି ହାଇ-ସିକ୍ୟୁରିଟି ଜୋନ୍କୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଥିଲା।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏବଂ ଫରେନସିକ୍ ଟିମ୍ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣର ତୀବ୍ରତାକୁ ଦେଖି ଏହା ଏକ ସୁପରିକଳ୍ପିତ ଆକ୍ରମଣ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଫରିଦାବାଦରୁ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ମଧ୍ୟରେ ଆମୋନିୟମ୍ ନାଇଟ୍ରେଟ୍, ଡିଟୋନେଟର, ଟାଇମର୍ ଏବଂ ତାର ଭଳି ସାମଗ୍ରୀ ରହିଥିଲା, ଯାହା ଏକ ସ୍ଲିପର ସେଲ୍ ମଡ୍ୟୁଲ୍ ଦ୍ୱାରା ସଂଗ୍ରହ କରାଯାଉଥିବା ସୂଚନା ମିଳିଛି। ଗୋଟିଏ ଦିନରେ ଏହି ଦୁଇଟି ଘଟଣା ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଆଡ଼କୁ ଇଙ୍ଗିତ କରୁଛି ବୋଲି ଗୁଇନ୍ଦା ବିଭାଗ ସନ୍ଦେହ କରୁଛି।
ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚପଦସ୍ଥ ଗୁଇନ୍ଦା ଏବଂ ଆତଙ୍କବାଦ ନିରୋଧୀ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି। ତଦନ୍ତକାରୀ ଦଳ ବିସ୍ଫୋରିତ କାର୍ର ମାଲିକ, ସେଥିରେ ଥିବା ବ୍ୟକ୍ତିଙ୍କ ପରିଚୟ, ଫରେନସିକ୍ ନମୁନା ଏବଂ ଫରିଦାବାଦ ମଡ୍ୟୁଲ୍ ସହ ଏହାର ସମ୍ପର୍କର ଯାଞ୍ଚ କରୁଛନ୍ତି। ମେଟ୍ରୋ ଷ୍ଟେସନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍କୁ ମଧ୍ୟ ଯାଞ୍ଚ କରାଯାଉଛି। ଲାଲକିଲ୍ଲା ଭଳି ଏକ ସୁରକ୍ଷିତ ଅଞ୍ଚଳରେ ଏପରି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


0 Comments