ରାଜ୍ୟର ରାସନ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟ ସରକାର ୧୯ଟି ଜିଲ୍ଲାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ NFSA ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା SFSS ର ହିତାଧିକାରୀମାନଙ୍କୁ ଆଗାମୀ ତିନି ମାସ ପାଇଁ ଅତିରିକ୍ତ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ପ୍ରତି ଯୋଗ୍ୟ ପରିବାରକୁ ମାସିକ ୫ କେଜି ଲେଖାଏଁ ଫୋର୍ଟିଫାଏଡ୍ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଧର ନାୟକଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ପୁଲରୁ ମୋଟ ୧୦,୫୭,୧୧୨.୭୦ କ୍ୱିଣ୍ଟାଲ ଫୋର୍ଟିଫାଏଡ୍ ଚାଉଳ ବଣ୍ଟନ କରାଯିବ । ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର—ଏହି ତିନି ମାସ ପାଇଁ ହିତାଧିକାରୀମାନେ ନିଜର ନିୟମିତ ରାସନ ସହିତ ଏହି ଅତିରିକ୍ତ ୫ କେଜି ଚାଉଳ ପାଇବେ । ଏହି ଯୋଜନାରେ ଝାରସୁଗୁଡ଼ା ସମେତ ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ସାମିଲ କରାଯାଇଛି ।
ଏହି ଘୋଷଣା ପରେ ବିଶେଷ କରି ଝାରସୁଗୁଡ଼ା ଜିଲ୍ଲାର ହଜାର ହଜାର ହିତାଧିକାରୀ ଉପକୃତ ହେବେ । ଜିଲ୍ଲାରେ ଥିବା NFSA ଏବଂ SFSSର ସମସ୍ତ ଯୋଗ୍ୟ ରାସନ କାର୍ଡଧାରୀ ପରିବାର ଏହି ସୁବିଧାର ଲାଭ ଉଠାଇ ପାରିବେ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜିଲ୍ଲାର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ବିଶେଷ ଭାବେ ଲାଭବାନ ହେବେ ବୋଲି ଆଶା କରାଯାଉଛି ।
ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଏହି ଅତିରିକ୍ତ ଚାଉଳ କେବଳ ବୈଧ ଲାଇସେନ୍ସ ଥିବା ସରକାରୀ ବଣ୍ଟନ କେନ୍ଦ୍ର ମାଧ୍ୟମରେ ହିଁ ବଣ୍ଟାଯିବ । ସମସ୍ତ ବଣ୍ଟନ ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ପାଇଁ ଇ-ପିଓଏସ୍ ମେସିନ୍ ସହ ତଥ୍ୟକୁ ସିଙ୍କ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ୧୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।


0 Comments