ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ | ତହସିଲରେ ହେବ ପଞ୍ଜୀକରଣ |
ନଭେମ୍ବର ୧ରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ସବ-ରେଜିଷ୍ଟ୍ରାର ଅଫିସ ଦୌଡ଼ରୁ ମିଳିବ ମୁକ୍ତି |
ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟର ତହସିଲ କାର୍ଯ୍ୟାଳୟଗୁଡ଼ିକରେ ଜମି କିଣାବିକା ପଞ୍ଜୀକରଣ କରାଯାଇପାରିବ। ଦୀର୍ଘ ଦିନ ଧରି ଜମି ରେଜିଷ୍ଟ୍ରେସନ ପାଇଁ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଏହି ନିଷ୍ପତ୍ତି ବଡ଼ ଆଶ୍ୱସ୍ତି ଦେବ। ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ, ସରଳ ଓ ସ୍ୱଚ୍ଛ କରିବା ଦିଗରେ ଏହାକୁ ଏକ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଜମି କିଣାବିକା ପାଇଁ ଜନସାଧାରଣଙ୍କୁ ଆଉ ବ୍ଲକ କିମ୍ବା ସବ-ଡିଭିଜନ ସ୍ତରରେ ଥିବା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଏହି ସେବା ସେମାନଙ୍କ ନିକଟବର୍ତ୍ତୀ ତହସିଲ କାର୍ଯ୍ୟାଳୟରେ ଉପଲବ୍ଧ ହେବ। ଏହି ବ୍ୟବସ୍ଥାକୁ ଦୁଇଟି ପର୍ଯ୍ୟାୟରେ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ, ନଭେମ୍ବର ୧ ତାରିଖରୁ ରାଜ୍ୟର ୪୪ଟି ତହସିଲରେ ଏହି ସେବାର ଶୁଭାରମ୍ଭ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ନୂତନ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଏହାପରେ, ଡିସେମ୍ବର ମାସ ସୁଦ୍ଧା ବାକି ଥିବା ୨୭୩ଟି ତହସିଲରେ ଏହି ସେବା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ଗ୍ରାମାଞ୍ଚଳର ଲୋକଙ୍କୁ ଜମି ପଞ୍ଜୀକରଣ ପାଇଁ ବହୁ ଦୂର ଯାତ୍ରା କରିବାକୁ ପଡ଼ୁଥିଲା। ଏହାଦ୍ୱାରା ସେମାନଙ୍କର ଅର୍ଥ ଓ ସମୟ ଅପଚୟ ହେବା ସହ ଅନେକ ସମୟରେ ଦଲାଲମାନଙ୍କ ଦ୍ୱାରା ହଇରାଣ ହରକତ ହେଉଥିବାର ଅଭିଯୋଗ ହେଉଥିଲା। ତହସିଲ ସ୍ତରରେ ଏହି ସେବାର ବିକେନ୍ଦ୍ରୀକରଣ ହେବା ଫଳରେ ଏହି ସମସ୍ୟା ଦୂର ହୋଇପାରିବ। ଏହାଦ୍ୱାରା କେବଳ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉପରୁ କାର୍ଯ୍ୟଭାର କମିବ ନାହିଁ, ବରଂ ସମଗ୍ର ପଞ୍ଜୀକରଣ ପ୍ରକ୍ରିୟାରେ ଅଧିକ ପାରଦର୍ଶିତା ଆସିବ ବୋଲି ଆଶା କାରଯୁଛି ।


0 Comments