ଏନଟିପିସି ଦର୍ଲିପାଲିରେ ‘ମିଡିଆ ମିଟ୍ ୨୦୨୫’ ଅନୁଷ୍ଠିତ ହୋଇଯାଇଛି |
ସ୍ଥାନୀୟ ଏନଟିପିସି ଦର୍ଲିପାଲି ପକ୍ଷରୁ ପ୍ରକଳ୍ପର ପ୍ରଶାସନିକ ଭବନରେ ‘ମିଡିଆ ମିଟ୍ ୨୦୨୫’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ପ୍ରମୁଖ ଗଣମାଧ୍ୟମ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରକଳ୍ପର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ପରିବେଶ ସୁରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ମୁଖ୍ୟ ଫୈଜ ତୟାବ ସବୁଜ ଓ ସ୍ୱଚ୍ଛ ଶକ୍ତି ଉତ୍ପାଦନ ନିମନ୍ତେ ଏନଟିପିସିର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା, ରାସ୍ତା ନିର୍ମାଣ ଏବଂ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ ସମ୍ପର୍କରେ ସୂଚନା ଦେଇଥିଲେ । ଗଣମାଧ୍ୟମ, ସମାଜ ଓ ସଂଗଠନ ମଧ୍ୟରେ ଏକ ସୁଦୃଢ଼ ସେତୁ ବୋଲି କହିବା ସହ ଏହାର ସକ୍ରିୟ ଭାଗୀଦାରିତା ସ୍ୱଚ୍ଛତା ଓ ବିଶ୍ୱାସକୁ ବୃଦ୍ଧି କରେ ବୋଲି ଶ୍ରୀ ତୟାବ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମାନବ ସମ୍ବଳ ମୁଖ୍ୟ ଶ୍ରୀମତୀ ପ୍ରତିଭା ସିଂହ ସଂସ୍ଥାର କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ପଦକ୍ଷେପଗୁଡ଼ିକ ଉପରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ବିନ୍ଦ୍ର ଶର୍ମା, ମହାପ୍ରବନ୍ଧକ ରାଧେଶ୍ୟାମ ମୌର୍ଯ୍ୟ , ଅତିରିକ୍ତ ମହାପ୍ରବନ୍ଧକ ଡ. ଡି. ନନ୍ଦେଶ୍ୱର ପ୍ରମୁଖ ପ୍ରକଳ୍ପର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


0 Comments