ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି | କୋହଳ ହେଲା ଟ୍ରାଫିକ ଜରିମାନା |
୨୦୨୫ ଜୁଲାଇ ୩୧ ସୁଦ୍ଧା ହୋଇଥିବା ମୋଟର ଯାନ ଆଇନ ଉଲ୍ଲଂଘନ ମାମଲାରେ କମ୍ପାଉଣ୍ଡିଂ ଫି’ ଦେଇ ମିଳିବ ଛାଡ଼ |
ରାଜ୍ୟ ସରକାର ଗାଡ଼ି ମାଲିକ ଓ ଚାଳକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ୨୦୨୫ ମସିହା ଜୁଲାଇ ୩୧ ତାରିଖ କିମ୍ବା ତା’ ପୂର୍ବରୁ ହୋଇଥିବା ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ କେତେକ ନିର୍ଦ୍ଦିଷ୍ଟ ଉଲ୍ଲଂଘନ ମାମଲାରେ ଏକ ହ୍ରାସ କରାଯାଇଥିବା କମ୍ପାଉଣ୍ଡିଂ ଫି’ ଦେଇ ମାମଲାର ସମାଧାନ କରିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଲୋକଙ୍କ ଉପରୁ ମୋଟା ଅଙ୍କର ଜରିମାନା ବୋଝ ହ୍ରାସ କରିବା ସହ ସଡ଼କ ସୁରକ୍ଷା ନିୟମ ପାଳନକୁ ସୁନିଶ୍ଚିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ବିଜ୍ଞପ୍ତି ଅନୁଯାୟୀ, ଯେଉଁସବୁ ମାମଲାରେ ଅଭିଯୋଗପତ୍ର ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଦାଲତରେ ଦାଖଲ କରାଯାଇନାହିଁ, କେବଳ ସେହି କ୍ଷେତ୍ରରେ ହ୍ରାସ ପାଇଥିବା ଦରରେ ଜରିମାନା ଦେଇ ମାମଲାର ସମାଧାନ କରାଯାଇପାରିବ।
ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବାକୁ ଦେଲେ (ଧାରା ୧୮୦) ଏବଂ ନିଜେ ବୈଧ ଡିଏଲ୍ ବିନା ଗାଡ଼ି ଚଳାଇଲେ (ଧାରା ୧୮୧) ୫,୦୦୦ ଟଙ୍କା ପରିବର୍ତ୍ତେ ୨,୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ଚାଳକ କିମ୍ବା ଯାତ୍ରୀ ସିଟ୍ ବେଲ୍ଟ ନ ପିନ୍ଧିଲେ (ଧାରା ୧୯୪ବି(୧)), ଦୁଇଚକିଆ ଯାନରେ ଦୁଇଜଣ ବସିଲେ ବା ଟ୍ରିପଲ ରାଇଡିଂ କଲେ (ଧାରା ୧୯୪ସି) ଏବଂ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଇଲେ (ଧାରା ୧୯୪ଡି) ପାଇଁ ଥିବା ୧,୦୦୦ ଟଙ୍କା ଜରିମାନାକୁ ୫୦୦ ଟଙ୍କାକୁ ହ୍ରାସ କରାଯାଇଛି। ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନ ଦେଲେ (ଧାରା ୧୯୪ଇ) ୧୦,୦୦୦ ଟଙ୍କା ବଦଳରେ ୫,୦୦୦ ଟଙ୍କା ଏବଂ ବୀମା (ଇନସ୍ୟୁରାନ୍ସ) ବିନା ଗାଡ଼ି ଚଳାଇଲେ (ଧାରା ୧୯୬) ୨,୦୦୦ ଟଙ୍କା ପରିବର୍ତ୍ତେ ୧,୦୦୦ ଟଙ୍କା କମ୍ପାଉଣ୍ଡିଂ ଫି’ ଦେବାକୁ ପଡ଼ିବ।
ବିଜ୍ଞପ୍ତିରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ମାମଲାଗୁଡ଼ିକ ପୂର୍ବରୁ କୋର୍ଟକୁ ପଠାଇ ଦିଆଯାଇଛି, ସେଗୁଡ଼ିକ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବ ନାହିଁ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନାଗରିକମାନଙ୍କୁ ସେମାନଙ୍କର କାଗଜପତ୍ର ନିୟମିତ କରିବା ଏବଂ ଟ୍ରାଫିକ ନିୟମ ପାଳନ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ଲୋକଙ୍କ ଉପରୁ ଆର୍ଥିକ ବୋଝ କମିବା ସହିତ ସମଗ୍ର ଓଡ଼ିଶାରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇପାରିବ।
0 Comments