ବିଏସଏଫ ଯବାନ ପୂର୍ଣ୍ଣିମ କୁମାର ସାଁ ପାକିସ୍ତାନରୁ ଭାରତକୁ ଫେରିଛନ୍ତି । ଭାରତ ମଧ୍ୟ ଯବାନଙ୍କ ବଦଳରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ଫେରାଇ ଦେଇଛି । ଯବାନ ପିକେ ସାଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଛି । ଯବାନ ଅଟାରୀ ସୀମାରୁ ଫେରି ଆସିଛନ୍ତି । ତେବେ ବିଏସଏଫ୍ ଯବାନ ଭୁଲରେ ସୀମା ପାର କରି ଦେଇଥିଲେ । ଏହା ପରେ, ଭାରତ ଜଣେ ରେଞ୍ଜର୍ସ ସୈନିକଙ୍କୁ ମଧ୍ୟ ବନ୍ଦୀ କରିଥିଲା । ତଥାପି, ଏବେ ଉଭୟ ଦେଶ ଯବାନ ଏବଂ ରେଞ୍ଜର୍ସ ଅଦଳବଦଳ କରିଛନ୍ତି । ଯବାନ ଏବଂ ରେଞ୍ଜର୍ସଙ୍କ ମଧ୍ୟରେ ଆଦାନପ୍ରଦାନ ପାଇଁ ଆଲୋଚନା ଅଟାରୀ ସୀମାରେ ହୋଇଥିଲା । ବିଏସଏଫ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ବିଏସଏଫ ଯବାନ ପିକେ ସା ଫେରିଥିବା ସୂଚନା ପ୍ରଦାନ କରାଯାଇଛି । ସେ ୨୩ ଏପ୍ରିଲ ୨୦୨୫ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିଲେ । ଜଏଣ୍ଡ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଯବାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା । ବିଏସଏଫ ଏହା ମଧ୍ୟ କହିଛି ଯେ ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବରେ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁସାରେ କରାଯାଇଥିଲା । ଫିରୋଜପୁରର ପାକିସ୍ତାନ ସୀମାରୁ ପାକ୍ ରେଞ୍ଜର୍ସ ଦ୍ବାରା ଭାରତୀୟ ସୈନିକଙ୍କୁ ଗିରଫ କରାଯାଇଥିଲା । ଅନ୍ୟପକ୍ଷରେ, ରାଜସ୍ଥାନର ଭାରତୀୟ ସୀମା ନିକଟରେ ବିଏସଏଫ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଧରିଥିଲା । ସୈନିକଙ୍କ ବଦଳରେ ଭାରତ ପାକ୍ ରେଞ୍ଜରକୁ ମଧ୍ୟ ପାକିସ୍ତାନକୁ ହସ୍ତାନ୍ତର କରିଛି ।
0 Comments