ସହରାଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ୩.୮୧ ଏକର ଜମି ପାଇଁ ଅନୁମତି ।
ଆଇଟିଡିଏ ବ୍ଲକରେ ବେଆଇନ ଭାବେ ଏସ୍ଟି ଜମି ବିକ୍ରି ପାରମିଶନ୍ ।
SC ଓ ST ଜମିର ବେଆଇନ୍ ଅଧିଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ଏବଂ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ରାଜସ୍ବ ମନ୍ତ୍ରୀଙ୍କୁ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ ।
ଜିଲ୍ଲାରେ SC ST ଜମି ବିକ୍ରିକୁ ନେଇ ଅନେକ ତଥ୍ୟ ସାମ୍ନା କୁ ଆସୁଛି । ଏବଂ ସେହି ସବୁ ତଥ୍ୟ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଆଜି ସାମ୍ନାରେ ରଖି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିବା ସହ ଏହି ବେଆଇନ୍ ଜମି ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜିଲ୍ଲାରେ ହେଉଥିବା ଏହି ଜମି ବିକ୍ରି କାରବାରରେ ଖୋଦ୍ ସରକାରୀ ଅଧିକାରୀ ସଂପୃକ୍ତ ଥିବା ନେଇ ଅଭିଯୋଗ କରାଯାଉଛି । ଆଉ ଝାରସୁଗୁଡ଼ାରେ ଆଦିବାସୀଙ୍କୁ ଭୂମିହୀନ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ମଧ୍ୟ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ କୁହାଯାଉଛି । ଧିରେ ଧିରେ ଆଦିବାସୀ ହରିଜନଙ୍କ ହାତରୁ ଜମି ଖସିବାରେ ଲାଗିଛି । ଏସ୍ଟି ଏସ୍ସି ଜମି ହସ୍ତାନ୍ତରଣ ନେଇ ସରକାର ଭୂ ସଂସ୍କାର ଆଇନ ବଳରେ କଟକଣା ଲାଗୁ କରିଥିଲେ ହେଁ ଗଳାବାଟ ଦେଇ ଆଦିବାସୀ ହରିଜନଙ୍କ ହାତରୁ କିଭଳି ଜମି ଖସାଇ ନେବେ ସେଥିଲାଗି ଦଲାଲ ଲାଗି ପଡ଼ିଛନ୍ତି । ଆଉ ଏହି ଦଲାଲଙ୍କ ସହ ଅସାଧୁ ଅଧିକାରୀଙ୍କ ମେଣ୍ଟ ଆଦିବାସୀ ଓ ହରିଜନଙ୍କୁ ଜମି ଶୂନ୍ୟ କରିବାରେ ଲାଗିଛି । ଆଶ୍ଚର୍ଯ୍ୟଜନକ ଭାବେ ଜିଲ୍ଲାର ଦୁଇ ଆଦିବାସୀ ଅଧୁଷିତ କିର୍ମିରା ଏବଂ ଲଇକେରା ବ୍ଳକକୁ ନେଇ ଆଇଟିଡିଏ ଘୋଷଣା ହେବା ପରେ ବି ଏହି ସିଡ୍ୟୁଲ୍ ଅଞ୍ଚଳରେ ବ୍ୟବସ୍ଥାର ବିରୁଦ୍ଧାଚରଣ କରି ଆଦିବାସୀ ଜମି ବିକ୍ରି ଲାଗି ରାଜସ୍ବ ଅଧିକାରୀ ଅନୁମତି ଦେବା ଘଟଣା ସାମ୍ନାକୁ ଆସିଛି । ଜମି ଦଲାଲଙ୍କ ସହ ଅସାଧୁ ରାଜସ୍ବ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଦିବାସୀ ହରିଜନ ଏବେ ଜମି ଶୂନ୍ୟ ହେବାକୁ ବସିଛନ୍ତି ବୋଲି ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ କୁହାଯାଇଛି । ଯେଉଁ ଅଧିକାରୀ ଉପଜିଲ୍ଲାପାଳ ରହିଥିଲେ ଏବେ ଏଠାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ ଅଛନ୍ତି । ସେହି ଅଧିକାରୀ ଉପ ଜିଲ୍ଲାପାଳ ଥିବା ସମୟରେ ହୋଇଥିବା ମାମଲା ଗୁଡ଼ିକର ଅପିଲ ଏବେ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟକୁ ଆସିବା ବେଳକୁ ନିଜେ ନିଜ ସମୟର ମାମଲାର ବିଚାର କରିବା କେତେଦୂର ସମୀଚିନ ଓ ଆଇନ ସମ୍ମତ ବୋଲି ପ୍ରଶ୍ନ ଉଠାଇଛି ଆଦିବାସୀ ସମାଜ । ପାରମିଶନ ଦେଇ ଅସାଧୁ ଅଧିକାରୀ ମାନେ ହାତ ଚିକ୍କଟ କରିବା ସହ ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯାଉଛି । ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏସଟି ,ଏସସି ଜମି ପାରମିଶନକୁ ନେଇ ହୋଇଥିବା ଅନିୟମିତତା ତଥା କେଳେଙ୍କାରୀର ପର୍ଦ୍ଦାଫାଶ ହେବ ବୋଲି ଆଦିବାସୀ ସମାଜର ସଭାପତି ମାଧବ ସିଂ ନାଏକ କହିଛନ୍ତି ।
0 Comments