ଝାରସୁଗୁଡ଼ା ଜିଲା ବେଲପାହାଡ଼ ମିରର୍ ଥିଏଟରର ୩୨ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ 'ରଙ୍ଗ୍ ପରବ୍’ ନାଟ୍ୟ ମହୋତ୍ସବ-୨୦୨୪ ଆରମ୍ଭ ହୋଇଯାଇଛି। ଏହା ଆଜି ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ ତାରିଖ ସମାପ୍ତ ହେବ। ପ୍ରାରମ୍ଭରେ ମା' ମାଣିକେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ରବିବାର ସନ୍ଧ୍ୟା ଉଦଘାଟନୀ ସମରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ କହିଥିଲେ ମିରର ଥିଏଟର ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିପାରିଛି। ଏହି ଅନୁଷ୍ଠାନ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅତୀତରେ ମିରର ଥିଏଟରର କଳାକାରମାନେ ଲଗାତାର ୪୯ ଘଣ୍ଟା ଧରି ନାଟକ ‘କାଏନୟୁରି’ ପ୍ରଦର୍ଶନ କରି ବିଶ୍ଵ ରେକର୍ଡ଼ ସୃଷ୍ଟି କରିପାରିଛି। ପୁରସ୍କାର ପାଇବା ଏକ ବିଷୟ ଅଟେ ହେଲେ ସମାଜ ସ୍ଵୀକୃତି ଦେବା ଅନ୍ୟ ଏକ ବିଷୟ ଅଟେ। ସରକାରଙ୍କ ଆହୁରି ଉର୍ଦ୍ଧ୍ବରେ ହେଲା ସମାଜ ଯାହାକୁ ମିରର ଥିଏଟର ପ୍ରତିପାଦିତ କରିପାରିଛି। ଏହି ଅନୁଷ୍ଠାନ ଆଗାମୀ ଦିନରେ ଆହୁରି ଉନ୍ନତି ଘଟୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବେଲପାହାଡ଼ ଟିଆରଏଲ୍ କ୍ରୋସକି ବରିଷ୍ଠ ଅଧୁକାରୀ ଡ. ସନ୍ତୋଷ ମିଶ୍ର, ପୌର କାଉନସିଲର କହ୍ନେଇ ଚରଣ ସେଠ, ମିରର ଥିଏଟରର ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ରହିଥିଲେ। ଅନ୍ୟତମ ଅତିଥି ଭାବେ ଲଖନପୁର ସରପଞ୍ଚ ଆରତୀ ପଧାନ ଓ କଳା ପ୍ରେମୀ ଦେବୀ ପ୍ରସାଦ ମିଶ୍ର, ପ୍ରମୁଖ ଉପସ୍ଥିତ ରହିଥିଲେ। ସନ୍ତୋଷ ସାହୁଙ୍କ ସମେତ ସୌଭାଗ୍ୟ ରଞ୍ଜନ ସାହୁ, ଗୌରୀ ଶଙ୍କର କୁମ୍ଭାର ମଞ୍ଚ ପରିଚାଳନା କରିଥିବା ବେଳେ ଯୁବରାଜ ସିଂ ଅତିଥି ପରିଚୟ ପ୍ରଦାନ ଓ ଶେଷରେ ପଣ୍ଡିତ ରଘୁନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମିରର ଥିଏଟରର ବିଶ୍ୱ ରେକର୍ଡ଼ ପ୍ରାପ୍ତ ୪୮ ଘଂଟିଆ ନାଟକ ‘କାଏନୟୁରି’ ରେ ପ୍ରଦର୍ଶନ କରିଥିବା ବରିଷ୍ଠ ଓ କେତେକ କନିଷ୍ଠ କଳାକାରଙ୍କୁ ମାନପତ୍ର ଦେଇ ଅତିଥିଗଣ ସମ୍ମାନିତ କରିଥିଲେ। ଏହା ସହ ମିରର ଥିଏଟରର ୩୨ ତମ ବର୍ଷର ଲୋଗୋ ଓ ନୂତନ ନାଟକର ଗୀତ ଉନ୍ମୋଚନ ଓ କ୍ଷୁଦ୍ର ଚଳଚ୍ଚିତ୍ର ‘ମୂର୍ତ୍ତି’ର ମୁହୁରତ କରିଥିଲେ। ପରେ ମିରର ଥିଏଟରର ବରିଷ୍ଠ କଳାକାର ସୁଶାନ୍ତ ମହାରଣାଙ୍କ ଦ୍ଵାରା ନାଟକ ‘ବେକାର’ ପ୍ରଦର୍ଶିତ ହୋଇଥିଲା। ଏହି ନାଟକକୁ ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ। ନାଟକର କାହାଣୀରେ ବର୍ତ୍ତମାନ ପ୍ରତିକୂଳ ପରିସ୍ଥିତିରେ ଅନେକ ଶିକ୍ଷିତ ବେକାର ଯୁବ ବର୍ଗ ପଥ ଚ୍ୟୁତ ହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ହୋଇ ମୃତ୍ୟୁ ମୁଖକୁ ପଡ଼ିବା ସହ ବିନାଶ ଆଡ଼କୁ ଗତି କରୁଛନ୍ତି। ତେଣୁ ସେମାନେ ପଥ ଚ୍ୟୁତ ନହୋଇ ସଠିକ୍ ବାଟରେ ଯିବାକୁ ନାଟକ ମାଧ୍ୟମରେ ସଚେତନତା କରାଯାଉଛି।


0 Comments