ଲଖନପୁର ବ୍ଲକ ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ା, ବ୍ରଜରାଜନଗର ଏସ୍ ଡିପିଓ ଚିନ୍ତାମଣି ପ୍ରଧାନ , ନିର୍ବାହୀ ଅଧିକାରୀ ବିନୟ ପଟେଲ, ସ୍ଥାନୀୟ ସରପଞ୍ଚ ଏବଂ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି ଶିବିରରେ ମୋଟ ୫୯ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୨୭ଟି ସାମୁହିକ ଓ ୩୨ଟି ବ୍ୟକ୍ତିଗତ। ରେମତା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଦୁର୍ନୀତି ଓ ଗ୍ରାମସାଥୀ ପରିବର୍ତ୍ତନ,କିରିଟମାଲ ପଞ୍ଚାୟତରେ ଦକ୍ଷିଣକାଳୀ ମନ୍ଦିର ଓ କଲ୍ୟାଣ ମଣ୍ଡପ ସଂପୂର୍ଣିକରଣ ଏବଂ ରାଧାକୃଷ୍ଣ ମନ୍ଦିର ମରାମତି, ମହୁଲପାଲି ମେଗାଲିଫ୍ଟ ପଏଣ୍ଟର ୱାଟର ଆଉଟଲେଟ ସଠିକ ଜାଗାରେ ଦିଆଯିବା,ଚାରପାଲି ପଞ୍ଚାୟତରେ ଧାନକିଣା ପାଇଁ କନକତୋରା ମିଲରକୁ ଅନୁମତି ଦିଆ ନ ଯିବା, ପିଥିଣ୍ଡା ଗ୍ରାମ ବାହଳ ବନ୍ଧରୁ ପନିପରିବା ଚାଷ ପାଇଁ ପାଣି ଯୋଗାଣ, ମୂରଲିପାଲି ହରିଜନପଡା ଶିବ ମନ୍ଦିର ସମ୍ପୂର୍ଣ୍ଣିକରଣ, ଦେହରିଢ଼ିପାରେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା, ମୋ ଉପକାରୀ ବଗିଚା ଯୋଜନାରେ ବଣ୍ଟନ କରାଯାଇଥିବା ଚାରାର ପ୍ରାପ୍ୟ ପ୍ରଦାନ ଓ ଚାଣ୍ଟିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଡେପୁଟେସନ ବାତିଲ ଆଦି ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ ଦିଗରେ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିବିରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।
0 Comments