ଓଡ଼ିଶା- ଛତିଶଗଡ଼ ସୀମାର ନେତନାଗର ଠାରେ ବିଭତ୍ସ ହତ୍ୟା କାଣ୍ଡ । ମୃତକ ଦ୍ୱୟ ଜଣେ ମହିଳା ସହ ଶିଶୁ କନ୍ୟା ହୋଇଥିବା ବେଳେ ଉଭୟ ମାଁ ଝିଅ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଉଭୟଙ୍କୁ ହତ୍ୟା ପରେ ପାଳ ଭାଡ଼ିରେ ନିଆଁ ଲଗାଇ ପୋଡି ଦିଆଯାଇଛି ।ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର କରି ଉଭୟଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ପରେ ସୀମାନ୍ତ ଅଞ୍ଚଳରେ ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଓଡ଼ିଶାର ଶେଷ ସୀମାନ୍ତ କନକତୋରା ଠାରୁ ସଡ଼କ ପଥରେ ମାତ୍ର ଅଢେଇ କିଲୋମିଟର ଦୂରରେ ଅବସ୍ଥିତ ନେତନାଗର ଗାଁ । ଯାହାକି ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲାର କୁଟମିଲ ଥାନା ଅଧୀନରେ ରହିଛି । ତେବେ ଜଣେ ୩୦ ବର୍ଷୀୟ ମହିଳା ଏବଂ ଦଶ ବର୍ଷର ଝିଅଙ୍କୁ ହତ୍ୟା କରି ପୋଡ଼ି ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି । କୁଟମିଲ ଥାନାର ଇନ୍ସପେକ୍ଟରଙ୍କ ସୂଚନା ଅନୁଯାୟୀ ପୋଲିସ୍ ଖବରପାଇ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ସେଠାରୁ ଉଭୟଙ୍କ ଶବ ଉଦ୍ଧାର କରିଛି । ତଦନ୍ତ ପରେ ବି ମୃତକ ଦ୍ୱୟ ଙ୍କ ପରିଚୟ ଏଯାଏଁ ମିଳି ପାରିନାହିଁ । ସେହି ଅଞ୍ଚଳ ରେ କେହି ନିଖୋଜ ଥିବାର ଅଭିଯୋଗ ମଧ୍ୟ ହୋଇନାହିଁ । ଛତିଶଗଡ଼ ପୋଲିସ ଏବେ ଉଭୟଙ୍କର ପରିଚୟ କେମିତି ପାଇବ ସେଥିଲାଗି ଚେଷ୍ଟା ଜାରି ରଖିଛି । ହେଲେ ଘଟଣାସ୍ଥଳ ରେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା । ଏହା ଏକ ହତ୍ୟା କାଣ୍ଡ ବୋଲି ପୋଲିସ୍ ପକ୍ଷରୁ ସ୍ପଷ୍ଟ କୁହା ଯାଉଛି।ବରିଷ୍ଠ ପୋଲିସ୍ ଅଧୀକ୍ଷକ ସଦାନନ୍ଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମହିଳା ଏବଂ ଝିଅଙ୍କ ହତ୍ୟା ପଛରେ କି କାରଣ ରହିଛି, ମୃତକ ଦୁହେଁ ମା' ଝିଅ ନାଁ ଅନ୍ୟ କିଛି ତାହା ମଧ୍ୟ ପୋଲିସ ଜାଣିବାର ପ୍ରୟାସ କରୁଛି I ସେମାନଙ୍କୁ ହତ୍ୟା ପରେ ସେଠାକୁ ଅଣାଯାଇ ପୋଡ଼ି ଦିଆଗଲା ନାଁ ସେଠାରେ ଜୀବନ୍ତ ପୋଡ଼ି ହତ୍ୟା କରାଗଲା ତାହା ବି ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ଓଡ଼ିଶାର କନକତୋରା ସମେତ ସମସ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
0 Comments