ଜିଲ୍ଲା ସ୍ତରୀୟ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ସ୍ଥାନୀୟ ନବ ଦାସ ଅଡିଟୋରିଆମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଂସଦ ଶ୍ରୀ ପୂଜାରୀ ଭାରତକୁ ଏକ ବିକଶିତ , ଆତ୍ମନିର୍ଭରଶୀଳ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଜାତି , ଧର୍ମ,ବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଅର୍ଥନୈତିକ ଦୃଷ୍ଟିକୋଣରୁ ବିଶ୍ୱର ପଞ୍ଚମ ବୃହତ ଶକ୍ତି ଭାବରେ ପରିଗଣିତ ଭାରତକୁ ପ୍ରଗତି ପଥରେ ଆଗେଇ ନେବାକୁ ସମସ୍ତଙ୍କର ସହଯୋଗ କାମନା ପୂର୍ବକ ଆହ୍ୱାନ ଦେଇଛନ୍ତି। ଶିକ୍ଷା , ସ୍ୱାସ୍ଥ୍ୟ,ଗମନାଗମନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି। ଏହାକୁ ଆହୁରି ଆଗକୁ ନେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ସାଂସଦ ମହିଳା ଓ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ
ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ପୂର୍ବକ ସାଂସଦ ଜନସାଧାରଣ ଯୋଜନା ବାବଦରେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି। ଗଣତନ୍ତ୍ରର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଲୋକ ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ସକାଶେ ସଚେତନତା ସୃଷ୍ଟି ପାଇଁ ସାଂସଦ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା,ସ୍ବାସ୍ଥ୍ୟବୀମା ଯୋଜନା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରି ଜନମଙ୍ଗଳ ରାଷ୍ଟ୍ରରେ ହିତାଧିକାରୀମାନେ ଯୋଜନା ବିଷୟରେ ଅବଗତ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମ୍ପର୍କିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଶ୍ୟଶ୍ରାବ୍ୟ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା। ' ଧରତୀ କହେ ପୁକାର କେ' ଶୀର୍ଷକରେ କୋଲାବିରାର ମା' ସମଲେଶ୍ଵରୀ ବ୍ଲକ ସ୍ତରୀୟ ମହାସଂଘ ଓ ସ୍ଥାନୀୟ ଜ୍ୟାକ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ପକ୍ଷରୁ ସମ୍ବଲପୁରୀ ଓ ଦେଶାତ୍ମବୋଧ ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ' ମେରି ଜୁବାନି ମେରି କାହାନୀ' ଶୀର୍ଷକରେ ସଫଳ କାହାଣୀ ଉପସ୍ଥାପନ କରିଥିଲେ ଝାରସୁଗୁଡ଼ା ବ୍ଲକ ମହାସଂଘ ସଭାପତି ସ୍ବର୍ଣ୍ଣଲତା ନାୟକ ଓ ଏନ୍ ଆର୍ ଏଲ୍ ଏମ୍ ମାଷ୍ଟର ବୁକ କିପର ଆରତୀ ଉର୍ମା । ' ବିକଶିତ ଭାରତରେ ଛାତ୍ରଛାତ୍ରୀଙ୍କ ଭୂମିକା ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀ କଳାକାରମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରଶଂସା ପତ୍ର ବିତରଣ କରିଥିଲେ। ଏହି ଅବସରରେ ଚାଷୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା। ସାଂସଦ ଶ୍ରୀ ପୂଜାରୀ ଆୟୋଜିତ ସୂଚନା,ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସମ୍ପର୍କିତ ଷ୍ଟଲ ଓ ରଥ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ,ସ୍ୱୟଂ ସହାୟକ ଗୋଷ୍ଠୀ,ଅଙ୍ଗନବାଡ଼ି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
0 Comments