କୋଲାବିରାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କୋଲାବିରାର ସମସିଙ୍ଘାସ୍ଥିତ ଫୁଟବଲ ପଡ଼ିଆ ଠାରେ ଆୟୋଜିତ ଶିବିରରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିର ଉଦ୍ଘାଟନ କରିଥିଲେ। ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ କରି ଶ୍ରମିକମାନେ କିପରି ଅଧିକରୁ ଅଧିକ ସଂଖ୍ୟାରେ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରିବେ ଓ ପଞ୍ଜିକୃତ ଶ୍ରମିକ ମାନଙ୍କର କାର୍ଡ଼ ନବୀକରଣ କରାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଉପଭୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ,ସ୍ଥାନୀୟ ସରପଞ୍ଚ କରୁଣାକର ସେଠ, ସମିତି ସଭ୍ୟା ମାଲା ସାହୁ ଓ ପୂର୍ବତନ ସରପଞ୍ଚ ତୁଲାରାମ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇଦେବା ଓ ଅଧିକରୁ ଅଧିକ ଶ୍ରମିକ କିପରି ଉପକୃତ ହେବେ ସେ କ୍ଷେତ୍ରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ କହିଥିଲେ। ଶିବିରରେ ସହାୟତା ବାବଦକୁ ମୋଟ ୧୪୫ଜଣଙ୍କୁ ୯୬,୯୮,୮୦୦ଟଙ୍କା ପ୍ରଦାନ କରାଯାଇଛି। ମୃତ୍ୟୁକାଳୀନ ସହାୟତା ବାବଦରେ ୨୮ଜଣଙ୍କୁ ୫୬,୦୦,୦୦୦ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ବାବଦରେ ୨୮ଜଣଙ୍କୁ ୧,୪୦,୦୦୦,
ବିବାହ ସହାୟତା ବାବଦରେ ୭୭ଜଣଙ୍କୁ ୩୮,୫୦,୦୦୦ ପ୍ରସୂତିକାଳୀନ ସହାୟତା ବାବଦରେ ୮ଜଣଙ୍କୁ ୮୦,୦୦୦ ଓ ଶିକ୍ଷା ସହାୟତା ବାବଦରେ ୪ଜଣଙ୍କୁ ୨୮,୮୦୦ଟଙ୍କା ପ୍ରଦାନ କରାଯାଇଛି। ୨୦୦ଜଣଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ ଶିବିର ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ସସ୍ମିତା ବିଶ୍ୱାଳ, କାର୍ଯ୍ୟକ୍ରମ ପରିଚାଳକ(ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ)ଜନ୍ମେଜୟ ସା, କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲ୍ୟାଣ ସଂଯୋଜକ କାନ୍ତେଶ୍ୱର ମହାପାତ୍ର,ପ୍ରଶାନ୍ତ ମଣ୍ଡଳ,ଆଶିଷ ପ୍ରଧାନ ଓ ଦେବାଶିଷ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମୀଣ ଶ୍ରମ ନିରୀକ୍ଷକ ବିମଳ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments