କୋଲାବିରା ବ୍ଲକ କୋଳାବିରା ଗ୍ରାମ ପଞ୍ଚାୟତର ତରେଇକେଲା, ଭେଜିକୁଦ, ଦଣ୍ଡାବୁଡା ଗ୍ରାମ ସମ୍ମିଳିତ ଆଦିବାସୀ ସମାଜର ସଦସ୍ୟ ସଦସ୍ୟା ଆଜି ତରେଇକେଲା ଭେଜିକୁଦ ବାଲିଘାଟ ନିଲାମକୁ ରଦ୍ଦ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ତେଲେନନଦୀ ଭେଜିକୁଦ ବାଲିଘାଟ (ଗାଡିଘାଟ)ରୁ ଅନୈତିକ ବାଲି ଚୋରାଚାଲାନ ଦ୍ବାରା ସ୍ଥାନୀୟ ଅଞ୍ଚଳର ଆଦିବାସୀ, ଜନସାଧାରଣ ଓ ପଶୁପକ୍ଷୀ ମାନଙ୍କ ଉପରେ ବଡ ପ୍ରଭାବ ପଡୁଥିବା ବିଷୟରେ ଅନେକ ଥର କୋଳାବିରା ପ୍ରଶାସନକୁ ଲିଖିତ ଅଭିଯୋଗ କରାଯାଇଛି। ହେଲେ ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଗତ ତା୦୭.୦୬.୨୦୨୩ ବୁଧବାର ଦିନ କିଛି ପୋଲିସ ଦଳ ଓ ରାଜସ୍ବ ଅଧିକାରୀ ଉଭୟେ ଉକ୍ତ ବାଲିଘାଟକୁ ଯାଇ ନାପଯୋକ କରି ଚିହ୍ନଟ କରୁଥିଲେ। ସେହି ସମୟରେ ଗ୍ରାମର ଆଦିବାସୀ, ଜନସାଧାରଣ ଖବର ପାଇ ସେଠାକୁ ପହଞ୍ଚିଥିଲେ। ଏବଂ ଉପସ୍ଥିତ ଅଧିକାରୀଙ୍କୁ କଣ ପାଇଁ ଏହାକୁ ଚିହ୍ନଟ କରାଯାଉଛି ବୋଲି ପଚାରିବାରୁ ସେମାନେ ସଠିକ ଉତ୍ତର ଦେଇନଥିଲେ। ତା ପରଦିନ ଅର୍ଥାତ ତା୦୮.୦୬.୨୦୨୩ ଗୁରୁବାର ଦିନ ଗ୍ରାମର ମହିଳା ପୁରୁଷ ତହସିଲଦାରଙ୍କ ପାଖକୁ ଯାଇ ଲିଖିତ ଜଣାଇବା ସହିତ ପଚାରି ବୁଝିଥିଲେ। ହେଲେ ତହସିଲଦାର ମହୋଦୟ କହିଲେ ଗତ ୨୦୨୧ ମସିହାରେ ଉକ୍ତ ତେଲେନନଦୀ ଭେଜିକୁଦ ଗାଡିଘାଟ ବିଡରକୁ ଲିଜ ଦିଆଯାଇଥିଲା ତାହା ଏବେ ଚିହ୍ନଟ କରାଯାଉଛି। ୨୦୨୧ ମସିହାରେ ଦିଆଯାଇଥିବା ଲିଜକୁ ୨୦୨୩ ମସିହାରେ ଚିହ୍ନଟ କରିବା କେତେଦୁର ଯୁକ୍ତିଯୁକ୍ତ। ଏଥିରୁ ସ୍ଥାନୀୟ ପ୍ରଶାସନର ଅସାଧୁତାକୁ ଗ୍ରାମବାସୀ ଜାଣିପାରିଥିଲେ। ପ୍ରକାଶ ଥାଉ କି କେନ୍ଦ୍ର ସରକାର କୋଳାବିରା ବ୍ଲକକୁ ଆଇଟିଡିଏର ଅନ୍ତର୍ଭୁକ୍ତ କରିବାପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ବେଳେ ଆଦିବାସୀ ବହୁଳ କୋଳାବିରା ବ୍ଲକର ଭେଜିକୁଦ ଗ୍ରାମ ନିକଟ ତେଲେନନଦୀର ଗାଡ଼ିଘାଟଠାରୁ ଅନୈତିକ ବାଲି ଉଠାଣ ଯୋଗୁଁ ହାତୀ ଚଲାପଥ ଅବରୋଧ ହୋଇ ଏବେ ହାତୀମାନେ ଗ୍ରାମାଭିମୁଖି ହେବା ସହିତ ଜଳଜଙ୍ଗଲ ଜମି ଅଧିକାରରୁ ଆଦିବାସୀ ମାନଙ୍କୁ ଉଚ୍ଛେଦ କରାଯାଉଛି। ଏହି ନଦୀ ଘାଟରେ ଆମ୍ଭ ଅଞ୍ଚଳର ସମସ୍ତ ପ୍ରଜା ସଂପୂର୍ଣ୍ଣ ନିର୍ଭରଶୀଳ। ଚାଷକାର୍ଯ୍ୟ ସମେତ ପଶୁପକ୍ଷୀ ମାନଙ୍କ ପିଇବା ପାଣି ଓ ଆମ ତରେଇକେଲା, ଭେଜିକୁଦ, ଦଣ୍ଡାବୁଡା ଗ୍ରାମର ଜନସାଧାରଣ ଗାଧୁଆ ପାଦୁଆ ଆଦି ପାଇଁ ଏହି ନଦୀଘାଟ ଉପରେ ନିର୍ଭର କରିଥାନ୍ତି। ସ୍ଥାନୀୟ ପ୍ରଶାସନ ଅସାଧୁ ଠିକାଦାରମାନଙ୍କୁ ଅନୈତିକ ସହଯୋଗରେ ଏହି ଆଦିବାସୀ ବହୁଳ ଗ୍ରାମମାନଙ୍କର ଜଳଜଙ୍ଗଲ ଜମିକୁ ଟେକିଦେବା ଫଳରେ ଆଦିବାସୀମାନଙ୍କ ଆର୍ଥିକ, ସାମାଜିକ, ଶିକ୍ଷାଗତ ଉନ୍ନତିରେ ବାଧାପ୍ରାପ୍ତ ହେଉଅଛି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଗତ ତା ୩୦.୦୩.୨୦୨୨ ଅର୍ଥାତ ବୁଧବାର ଦିନ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବାଲି ଚୋରା ଚାଲାଣ ଚାଲିଥିବା ସମୟରେ ଭେଜିକୁଦ ଗ୍ରାମବାସୀ ହାଇୱ ଗାଡ଼ି ସହିତ ଜେସିବିମେସିନକୁ ଘେରି ଅଟକ ରଖି ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଆଇନ ଅନୁଯାୟୀ କୌଣସି ବାଲି ଘାଟରୁ ମେସିନରେ ଲୋଡିଙ୍ଗ ଅନଲୋଡିଙ୍ଗ ଓ ହାଇୱ ଭଳି ଭାରିଯାନରେ ବାଲି ପରିବହନ କରିବା ନିଷେଧ ଅଛି। ଏହି ଗାଡ଼ିଘାଟରୁ ବାଲି ନଈ ଭିତରେ ପ୍ରାୟ ତିନି କିଲୋମିଟର ପରିବହନ ପରେ କୋଳାବିରା ହାଟ ପାଖରେ ନଈପଠା ଉପରକୁ ଉଠୁଛି। ଏହି ନଈ ଭିତରେ ଦିର୍ଘ ତିନି କିଲୋମିଟର ରାସ୍ତା ତିଆରି କରିବା ପାଇଁ ପ୍ରଦୁଷଣ ବିଭାଗ ଅନୁମତି ଦେଇଛନ୍ତି କି ନାହିଁ ଜଣାନାହିଁ। ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲଦାର ଏହା ଉପରେ ଦିର୍ଘ ଦିନ ପୂର୍ବରୁ ଗ୍ରାମବାସୀମାନେ ଆଣିଥିବା ଅଭିଯୋଗ ଉପରେ କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି ବୋଲି ସମ୍ମିଳିତ ଆଦିବାସୀ ସମାଜ ଅଭିଯୋଗ କରିଛି। ଏଥିରେ ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାଏକ, ଉପଦେଷ୍ଟା ରତ୍ନାକର ପ୍ରଧାନ, ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଜିଲ୍ଲା ସଭାପତି ଡମ୍ବରୁଧର ନାଏକ, ମହାସଚିବ ଶ୍ୟାମଲାଲ ନାଏକ, ଚିନ୍ତାମଣି କାଲୋ, ସୁବଳ ଧୁରୁଆ, ଚୁଡାମଣୀ ଧୁରୁଆ, ଶୋଭାକର ମାଝୀ, ପ୍ରଫୁଲ୍ଲ କାଲୋ, ଜଗଦୀଶ ନେଟୀ, ମଞ୍ଜରୀ ମାଝୀ, ଲଲିତା ଧୁରୁଆ, ପଙ୍କଜିନୀ ମାଝୀ, ପଦ୍ମାବତୀ ନେଟୀ ପ୍ରମୁଖ ଉପସ୍ଥିତ ଥିଲେ।
0 Comments