ଜିଲ୍ଲା ସ୍ତରୀୟ ବିଶ୍ଵ ଉପଭୋକ୍ତା ଦିବସ ୨୦୨୩ ପାଳନ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖାଉଟି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଯେ କୌଣସି ସାମଗ୍ରୀ କ୍ରୟ ସମୟରେ ଖାଉଟି ମୂଲ୍ୟ ଓ ଗୁଣବତ୍ତା ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ବୈଧ,ମାପ ବିଜ୍ଞାନ ଉପନିୟନ୍ତ୍ରକ ଅଖିଳ ଚନ୍ଦ୍ର ପ୍ରଧାନ ଓ ସହକାରୀ ଯୋଗାଣ ଅଧିକାରୀ ସଂତୋଷିନୀ ପଣ୍ଡା ଖାଉଟିର ନିରାପତ୍ତା ଅଧିକାର, ଜାଣିବାର ଅଧିକାର,ପସନ୍ଦ କରିବାର ଅଧିକାର,ପ୍ରତିବାଦ କରିବାର ଅଧିକାର ଓ ସୁସ୍ଥ ପରିବେଶ ଅଧିକାର ଆଦି ଉପଭୋକ୍ତାର ବିଭିନ୍ନ ଅଧିକାର ସମ୍ପର୍କରେ ଆଲୋଚନା କରି ଖାଉଟି ନିଜ ଅଧିକାରରୁ ବଂଚିତ ହେଲେ କିପରି ଜିଲ୍ଲା ସ୍ତରରେ ଜିଲ୍ଲା ଖାଉଟି ଅଭିଯୋଗ ସମାଧାନ ମଞ୍ଚ,ରାଜ୍ୟ ସ୍ତରରେ ରାଜ୍ୟ ଖାଉଟି ଅଭିଯୋଗ ସମାଧାନ ଆୟୋଗ କିମ୍ବା ଜାତୀୟ ସ୍ତରରେ ଜାତୀୟ ଖାଉଟି ଅଭିଯୋଗ ସମାଧାନ ଆୟୋଗରେ ଅଭିଯୋଗ ଦାଖଲ କରିପାରିବେ ସେ ନେଇ ସୂଚନା ଦେଇଥିଲେ। ଜିଲ୍ଲା ଯୋଗାଣ ନିରୀକ୍ଷକ ନିହାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବ୍ରଜରାଜନଗର ଯୋଗାଣ ନିରୀକ୍ଷକ ଦୀପ୍ତିଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ
ବିଭିନ୍ନ ଖୁଚୁରା ବ୍ୟବସାୟୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ଥିଲେ।
0 Comments