ଉଚ୍ଚ ଶିକ୍ଷା ପାଇଁ ପଡୋସୀ ଜିଲ୍ଲା ଉପରେ ଝାରସୁଗୁଡା ଛାତ୍ରଛାତ୍ରୀ ନିର୍ଭରଶୀଳ l
ଶିଳ୍ପ ଏବଂ ଖଣିରେ ସମୃଦ୍ଧ ଝାରସୁଗୁଡା ଜିଲ୍ଲା ରାଜ୍ୟ ଓ କେନ୍ଦ୍ର ରାଜକୋଷକୁ ବିଭିନ୍ନ ଆଳରେ ସମୃଦ୍ଧ କରିବାରେ ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ l ଜିଲ୍ଲାରେ ରହିଛି ଅନେକ ଛୋଟ ବଡ଼ ଶିଳ୍ପ କାରଖାନା l ଜିଲ୍ଲାର ବିକାଶ ପାଇଁ ଅର୍ଥ ବାଧକ ମଧ୍ୟ ନୁହେଁ l ଜିଲାର ରାଜକୋଷରେ ଭରି ରହିଛି ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି l ଝାରସୁଗୁଡା ଜିଲ୍ଲାର ରାଜନୀତି ସବୁବେଳେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଥାଏ l ମାତ୍ର ଜିଲ୍ଲା ଉଚ୍ଚ ଶିକ୍ଷାକ୍ଷେତ୍ର ପ୍ରତି ରାଜନୈତିକ ଦୃଷ୍ଟିଭଙ୍ଗି ନୈରାଶ୍ୟଜନକ l ସରକାରୀ କଲେଜଟିଏ ଜିଲ୍ଲାରେ ସ୍ଥାପନ ନ ହେବା ଏହାର ଜ୍ୱଳନ୍ତ ଉଦାହରଣ l ରାଜ୍ୟ ସରକାର ଏହି ଜିଲ୍ଲା ପ୍ରତି ଉପେକ୍ଷା କରି ଗୋଟିଏ ହେଲେ କଲେଜକୁ ସରକାରୀ କଲେଜର ମାନ୍ୟତା ପ୍ରଦାନ କରି ନାହାନ୍ତି ବୋଲି ଜିଲ୍ଲା ଛାତ୍ର ସାମ୍ମୁଖ୍ୟ, ଝାରସୁଗୁଡା ଅଭିଯୋଗ କରିଆସୁଛି l ୧୯୯୪ ମସିହାରେ ସମ୍ବଲପୁର ଜିଲ୍ଲା ଠାରୁ ଅଲଗା ହେଇ ନୂତନ ଜିଲା ଭାବେ ଝାରସୁଗୁଡା ଜିଲ୍ଲା ଗଠନ ହେଇଥିଲା l
ସେ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାଏକ ଝାରସୁଗୁଡା ଠାରେ ସରକାରୀ କଲେଜ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ମଧ୍ୟ ଆଜି ପ୍ରଯ୍ୟନ୍ତ ସରକାରୀ କଲେଜ ହେଇପାରିଲାନାହିଁ l ଜିଲ୍ଲାରେ ରହିଥିବା ୩ ଟି ପ୍ରମୁଖ କଲେଜ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ,ମହିଳା ମହାବିଦ୍ୟାଳୟ , ବ୍ରଜରାଜନଗର ମହାବିଦ୍ୟାଲୟ ଏହି ୩ଟି ମହାବିଦ୍ୟାଳୟରେ ଯୁକ୍ତ ୨ ରୁ ଯୁକ୍ତ ୩ ପର୍ଯ୍ୟନ୍ତ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାର କୋଣସି ମହାବିଦ୍ୟାଳୟରେ ପି.ଜି ପାଠ୍ୟକ୍ରମ ନାହିଁ l ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଓ ଝାରସୁଗୁଡା ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହେଉଛି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ , ତତକାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ , ଝାରସୁଗୁଡା ବିଧାୟକ ମୁରଲୀ ପ୍ରସାଦ ମିଶ୍ର ,ହେମାନନ୍ଦ ବିଶ୍ୱାଳଙ୍କ ସହିତ ଜିଲ୍ଲାର ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଯାନ୍ତ୍ରିକ ବିଦ୍ୟାଳୟର ଛାତ୍ର ବାସରେ ଏହି ମହାବିଦ୍ୟାଳୟ ଆରମ୍ଭ ହେଇଥିବା ବେଳେ ଆଜିକୁ ୫୪ ବର୍ଷ ବିତି ଯାଇଥିଲେ ମଧ୍ୟ ମହାବିଦ୍ୟାଳୟ ସରକାରୀ ମାନ୍ୟତା ମିଳିନାହିଁ କି ପି.ଜି ପାଠ୍ୟକ୍ରମର ଖୋଲି ପାରିନାହିଁ l ଅନେକ ସମୟରେ ମହାବିଦ୍ୟାଳୟକୁ ସରକାରୀ କରଣ ପାଇଁ ଝାରସୁଗୁଡାବାସୀଙ୍କ ଦାବି ରହିଥିଲେ ମଧ୍ୟ ରାଜ୍ୟ ସରକାର ଝାରସୁଗୁଡାବାସୀକୁ ନିରାଶ କରିଛନ୍ତି l ଅନ୍ୟଟି ମହିଳା କଲେଜ ୧୯୮୨ ମସିହାରେ ପ୍ରତିଷ୍ଠା ହେଇଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇଁ ନାହିଁ l ଜିଲ୍ଲା ସଦର ମହକୁମା ଠାରୁ ୧୦ କିଲୋମିଟର ଦୂରରେ ଥିବା ବ୍ରଜରାନଗର କଲେଜ ୧୯୭୮ ମସିହାରେ ସ୍ଥାପନ ହେଇଥିଲା , ମାତ୍ର ସରକାରଙ୍କ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହେଇଥିଲେ ମଧ୍ୟ ସରକାରୀ ମାନ୍ୟତା ପାଇଁ ନାହିଁ l ସେହି ପରି ଜିଲ୍ଲାରେ ଥିବା ଗୋଟିଏ ମାତ୍ର ସରକାରୀ ଯାନ୍ତ୍ରିକ ସ୍କୁଲ ୧୯୫୫ ମସିହାରେ ସ୍ଥାପନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଯାନ୍ତ୍ରିକ ଡ଼ିଗ୍ରୀ କଲେଜ ହୋଇପାରିଲା ନାହିଁ l ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଝାରସୁଗୁଡା, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟକୁ ସରକାରୀ କଲେଜର ମାନ୍ୟତା ସହ ପି.ଜି ପାଠ୍ୟକ୍ରମର ବ୍ୟବସ୍ଥା କରିବା ,ଲଖନପୁର ବ୍ଲକର ୧୯ ଖଣ୍ଡ ମୌଜାରେ ଯୁକ୍ତଦୁଇ ବିଜ୍ଞାନ ଓ ଯୁକ୍ତତିନି ପର୍ଯ୍ୟନ୍ତ କଲେଜ ସ୍ଥାପନ , ଲଇକେରା ପଂଚାୟତ ସମିତି ମହାବିଦ୍ୟାଳୟରେ ଯୁକ୍ତତିନି ବିଜ୍ଞାନ ବିଭାଗ ଖୋଲିବା ଏବଂ କିର୍ମିରା ଶୋଭମ ମେମୋରିଆଲ କଲେଜରେ ଯୁକ୍ତଦୁଇ ବିଜ୍ଞାନ ବିଭାଗ ଖୋଲିବା , କୋଲାବିରା ବ୍ଲକ ସମlସିଂହା ସ୍ଥିତ ବସୁମତୀ +୨ ବିଜ୍ଞାନ କଲେଜରେ ସ୍ନାତକ ବିଜ୍ଞାନ ମହାବିଦ୍ୟାଲୟରେ ପରିଣତ କରିବା ସମ୍ବଳିତ ୬ଦଫା ଦାବିକୁ ନେଇ ଆଜି ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଝାରସୁଗୁଡା ପକ୍ଷରୁ ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ଗଣ ଶିକ୍ଷାମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ଶହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ସାମ୍ମୁଖ୍ୟ ଆସନ୍ତା ଫେବୃଆରୀ ୨୭ ତାରିଖ ଠାରୁ ଆନ୍ଦୋଳନକୁ ଆହୁରି ତିବ୍ରତର କରିବାକୁ ଯାଇ ଏକ ବିରାଟ ପଟୁଆରରେ ବାହାରି ଜନ ଜନ ପାଖରେ ଏ ଆନ୍ଦୋଳନକୁ ପହଞ୍ଚିବାପାଇଁ ସହରରେ ଏକ ଦସ୍ତଖତ ଅଭିଯାନ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିବ ବୋଲି ଚରମ ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରକାଶ କରିଛି। ଯଦି ଏପରି ହୁଏ ତେବେ ସରକାରୀ କଲେଜ ଆଗାମୀ ଦିନରେ ହେବାକୁ ଯାଉଥିବା ଉପ ନିର୍ବାଚନରେ ଏକ ବଡ ମୁଦ୍ଦା ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ସଂଯୋଜକ ଜିତେନ୍ଦ୍ରିୟ ଧୁରୁଆ , ସହସଂଯୋଜକ ଅସୀମ ପଟେଲ , ରୁପେଶ ଟପ୍ପୋ, ମନୋଜ କିସାନ, ନିଗମ ନାଏକ, ଭୁବନ କିସାନ ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିବା ବେଳେ ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ଏବଂ ଏଲ ଏନ କଲେଜର ପରିଚାଳନା କମିଟିର ସଦସ୍ୟ ରତ୍ନାକର ପ୍ରଧାନ ମଧ୍ୟ ସମର୍ଥନ ଦେବାକୁ ଯାଇ ଉପସ୍ଥିତ ରହିଥିଲେ।
0 Comments