ରାଜ୍ୟ ଖାଦ୍ୟ ଆୟୋଗ ଝାରସୁଗୁଡ଼ାକୁ ଦି ଦିନିଆ ଗସ୍ତରେ ଆସି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ୨୪ତାରିଖରେ ଆୟୋଗ ଦୁର୍ଲଗାସ୍ଥିତ ଯୋଗାଣ ବିଭାଗର ସୁଲଭ ମୂଲ୍ୟ ଦୋକାନ ପରିଦର୍ଶନ କରିବା ସହ ବୋର୍ଡ ଓ ରେଜିଷ୍ଟାର ଯାଞ୍ଚ କରିଥିଲେ ।ସାଧାରଣ ବଣ୍ଟନ ବ୍ୟବସ୍ଥା ହିତାଧିକାରୀମାନଙ୍କୁ ଚାଉଳ ଗହମ ଆଦି ଖାଦ୍ୟ ଶସ୍ୟ ଠିକ ଭାବରେ ବଣ୍ଟନ କରାଯାଉଛି କି ନାହିଁ ପଚାରି ବୁଝିଥିଲେ । ପରେ ଆୟୋଗ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ସାମଗ୍ରୀ ଯାଞ୍ଚ କରିଥିଲେ । ବେଦାନ୍ତ ଶିଳ୍ପାନୁଷ୍ଠାନରେ ସି ଏସ୍ ଆର୍ ଅନ୍ତର୍ଗତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଷ୍ଟି ସାଧନ କେନ୍ଦ୍ରରେ ପୁଷ୍ଟିହୀନତାର ଶିକାର ଶିଶୁ ମାନଙ୍କୁ ଦିଆଯାଉଥିବା ପୁଷ୍ଟିଯୁକ୍ତ ଖାଦ୍ୟ ଓ ଔଷଧ ସମ୍ପର୍କରେ ପଚାରି ବୁଝିଥିଲେ।
ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ଓ ସଭ୍ୟ ଦିଗବିଜୟ ନାଥ ପାଢ଼ୀ ଯୋଗ ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ଆଲୋଚନା କରି ଆୟୋଗ ଖାଦ୍ୟ ସୁରକ୍ଷା ସାଧାରଣ ଲୋକଙ୍କ ଅଧିକାର ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଯେପରି ସେମାନଙ୍କ ପ୍ରାପ୍ୟ ଖାଦ୍ୟ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ସଠିକ ହିତାଧିକାରୀ ଚୟନ ପୂର୍ବକ ରାସନ କାର୍ଡ଼ ଯୋଗାଣ ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଶିଶୁ ସୁସ୍ଥ ସବଳ ହେବା ଆବଶ୍ୟକ , ସେ ଦୃଷ୍ଟିରୁ ଗର୍ଭବତୀ ମହିଳାଙ୍କୁ ଏବଂ ପ୍ରସବ ପରବର୍ତ୍ତୀ ମହିଳାମାନଙ୍କୁ ତିନି ମାସ ଧରି ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ମାଆ ମାନେ ଯେପରି ନିୟମିତ ସ୍ୱାସ୍ଥ୍ୟ ବଟିକା ସେବନ କରନ୍ତି ସେ ଦିଗରେ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇ ଆୟୋଗ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା
ଖାଦ୍ୟ ଓ ବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କିପରି ଅଧିକ ପୁଷ୍ଟିଯୁକ୍ତ ହୋଇପାରିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଆଦର୍ଶ ସୁଲଭ ମୂଲ୍ୟ ଦୋକାନ ପ୍ରସ୍ତୁତି ଓ ନିୟମିତ ସୋସିଆଲ ଅଡିଟ୍ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଆୟୋଗ ଜିଲ୍ଲାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ସାମଲ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟମାନଙ୍କରେ ପୁଷ୍ଟି ଯୁକ୍ତ ଖାଦ୍ୟ ଯୋଗାଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆୟୋଗଙ୍କୁ ଅବଗତ କରାଇଥିଲେ । ସମୀକ୍ଷା ବୈଠକରେ ଆୟୋଗଙ୍କ ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଷଡ଼ଙ୍ଗୀ , ପରାମର୍ଶଦାତା ତମାଲ ରେଜା , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଲଙ୍କେଶ୍ୱର ଅମାତ , ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲମଣି ସେଠୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
0 Comments