ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅପରାଧରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକସୋ ଜଜ୍ ମଦନଲାଲ ଖେଡ଼ିଆ ଅଭିଯୁକ୍ତ ରିଙ୍କୁ ମଗର(୨୭)କୁ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ଜରିମାନା ଅନାଦେୟେ ଅଧିକ ୩ ମାସ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ପୃଥିରାଜ ସିଂଦେଓଙ୍କ ଠାରୁ ପ୍ରକାଶ ଯେ, ଗତ ୧୭.୨.୨୦୧୫ ଦିନ ଅପରାହ୍ନ ୨ ଟାରେ ଜଣେ ୧୨ ବର୍ଷର ନାବାଳିକା ତା ଭାଇସହିତ ଟ୍ୟୁବୱେଲରେ ଗାଧୋଉଥିବା ବେଳେ ସରବାହାଲ ହରିଜନ ପଡ଼ାର ରିଙ୍କୁ ମଗର ନାବାଳିକାକୁ ନିକଟରେ ଥିବା ଏକ ପଡ଼ିଆକୁ ନେଇ ସେଠାରେ ଅସଦାଚରଣ କରିଥିଲା। ଏନେଇ ନାବଳିକାର ଭାଇ ଘର ଲୋକଙ୍କୁ କହିବା ପରେ ଘରଲୋକ ସେଠାରେ ପହଞ୍ଚିଥିଲେ ଓ ଏନେଇ ଝାରସୁଗୁଡ଼ା ଟାଉନଥାନାରେ ଏତଲା ଦେଇଥିଲେ।ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ବିଚାର କରି ଜଜ୍ ଶ୍ରୀ ଖେଡ଼ିଆ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡବିଧାନ କରିଥିଲେ।
0 Comments