ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ସାମାଜିକ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଏବଂ "ଏ ଡେ ଫର୍ ଚିଲ୍ଡ୍ରେନ୍" ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି.ଏମ.ଏଫ. ଅଡିଟୋରିୟମ୍ ହଲ୍ରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଚ୍ଛେଦ ଏବଂ କିଶୋରୀମାନଙ୍କ ବିକାଶ ପାଇଁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ବିସ୍ତୃତ ସମୀକ୍ଷା କରାଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ଶ୍ରମ ଟାସ୍କ ଫୋର୍ସର କାର୍ଯ୍ୟକଳାପକୁ ଆହୁରି ସକ୍ରିୟ କରିବା ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ ଓ କାରଖାନାଗୁଡ଼ିକରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଆକସ୍ମିକ ଚଢ଼ାଉ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।କିଶୋରୀମାନଙ୍କ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଏହି ଅବସରରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୧୦୬ଟି ହାଇସ୍କୁଲରେ ନିୟମିତ ଭାବେ ମୈତ୍ରୀ ଏବଂ ୯୬୪ ଟି ଅଙ୍ଗନବାଡି କେନ୍ଦ୍ରରେ ଅଦ୍ୱିକା କାର୍ଯ୍ୟକ୍ରମକୁ ନିୟମିତ ଆୟୋଜନ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକୁ ପ୍ରଥମ ପ୍ରାଥମିକତା ଦିଆଯିବ, ଯାହାଦ୍ୱାରା ଛାତ୍ରୀମାନେ ନିଜର ଅଧିକାର, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ବିଷୟରେ ସଚେତନ ହୋଇପାରିବେ। ଏଥିସହ ରାଜ୍ୟ ସରକାରଙ୍କ ଯୋଶଦା ଯୋଜନା ଅଧୀନରେ ଚଳିତ ବର୍ଷ ୯୩ଟି ପିଲାଙ୍କୁ ଥଇଥାନ କରାଯିବ। ଏହି ସମଗ୍ର ବୈଠକକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁନନ୍ଦ ମହାରଣା ପରିଚାଳନା କରିଥିଲେ। ବୈଠକରେ 'ମିଶନ ବାତ୍ସଲ୍ୟ' ଯୋଜନା, ଶିଶୁ ମଙ୍ଗଳ ସମିତିର କାର୍ଯ୍ୟକଳାପ, ବେଟି ବଚାଓ ବେଟି ପଢ଼ାଓ, ଶିଶୁ ସହାୟତା କେନ୍ଦ୍ର ୧୦୯୮ ଏବଂ ଜେ.ଜେ.ବି ର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ସମସ୍ତ ସି.ଡି.ପି.ଓ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।


0 Comments