*ରେଳଷ୍ଟେସନରେ ଶିଶୁ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ*
ଝାରସୁଗୁଡ଼ା ରେଳଷ୍ଟେସନ ପରିସରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ମହି* ଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା (MoU) ଅନୁଯାୟୀ ଜନଗହଳିପୂର୍ଣ୍ଣ ରେଳଷ୍ଟେସନଗୁଡ଼ିକରେ *ଶିଶୁ ସହାୟତା ଡେସ୍କ (୧୦୯୮)*ର କାର୍ଯ୍ୟକାରିତା ଏବଂ ଚାଇଲ୍ଡ ହେଲ୍ପ ଗ୍ରୁପ୍ର ସମନ୍ୱୟକୁ ସୁଦୃଢ଼ କରିବା ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ସଭାରେ ସୂଚନା ଦିଆଯାଇଥିଲା ଯେ, ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଝାରସୁଗୁଡ଼ା ରେଳଷ୍ଟେସନରେ ୬ ନଭେମ୍ବର ୨୦୨୪ ଠାରୁ ଶିଶୁ ସହାୟତା ଡେସ୍କ (୧୦୯୮) ୨୪×୭ ଭିତ୍ତିରେ କାର୍ଯ୍ୟକ୍ଷମ ରହିଛି। ଏଥିରେ ୬ ଜଣ କର୍ମଚାରୀ ନିୟୋଜିତ ହୋଇ ରେଳଷ୍ଟେସନ ପରିସରରେ ବିପଦଗ୍ରସ୍ତ, ଅବହେଳିତ, ହଜିଯାଇଥିବା ଏବଂ ଚୋରା ଚାଲାଣର ଶିକାର ହେବାର ଆଶଙ୍କା ଥିବା ଶିଶୁମାନଙ୍କ ଚିହ୍ନଟ, ଉଦ୍ଧାର ଓ ସହାୟତା କାର୍ଯ୍ୟ କରୁଛନ୍ତି।
ସଭାରେ ଟ୍ରେନ୍ କିମ୍ବା ରେଳଷ୍ଟେସନ ପରିସରରୁ ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ତୁରନ୍ତ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି (CWC) କିମ୍ବା କିଶୋର ନ୍ୟାୟ ବୋର୍ଡ (JJB) ନିକଟରେ ଉପସ୍ଥାପନ କରିବା ସହ ସେମାନଙ୍କ ପୁନର୍ବାସ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହାସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ହଜିଯାଇଥିବା ଶିଶୁଙ୍କ ମାମଲାକୁ ଅପରାଧ କିମ୍ବା ଚୋରା ଚାଲାଣ ସମ୍ଭାବ୍ୟ ଘଟଣା ଭାବେ ବିବେଚନା କରି ଏଫ୍ଆଇଆର୍ ରୁଜୁ କରିବା ଏବଂ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ପ୍ରଚଳିତ ନିୟମାବଳୀର କଡ଼ାକଡ଼ି ପାଳନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।


0 Comments