ବ୍ରଜରାଜନଗର ପୌରାଞ୍ଚଳରେ ବିଗତ କିଛି ଦିନ ହେବ ଲାଗିରହିଥିବା ଅଦିନିଆ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ କେତେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ପୌରପାଳିକାର ୪ ନମ୍ବର ୱାର୍ଡ ଏବଂ ୮ ନମ୍ବର ୱାର୍ଡ ଅନ୍ତର୍ଗତ ଖପରାପଡ଼ା ଅଞ୍ଚଳ ଏହି ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ବର୍ଷା ଜଳ ନିଷ୍କାସନ ନହୋଇ ପାରିବାରୁ ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ୪ ନମ୍ବର ୱାର୍ଡର ଗୋପୀବିହାର କଲୋନୀରେ ଥିବା କେତେକ ବାସଗୃହ ଆଂଶିକ ଭାବେ ଜଳମଗ୍ନ ହୋଇଯାଇଛି। ଘର ଭିତରେ ପାଣି ପଶିଯିବା ହେତୁ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସୂଚନା ପାଇବା ମାତ୍ରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ସହ ଜରୁରୀକାଳୀନ ସହାୟତା ଯୋଗାଇ ଦେଇଛନ୍ତି।।ବର୍ଷା ଜଳ ସଠିକ୍ ଭାବେ ନିଷ୍କାସନ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଛି। ଅଞ୍ଚଳର ମୁଖ୍ୟ ନାଳଗୁଡ଼ିକରେ ଜମି ରହିଥିବା ଆବର୍ଜନାକୁ ସଫା କରାଯାଇ ଜଳ ନିଷ୍କାସନ ପଥକୁ ସ୍ୱାଭାବିକ କରାଯାଇଛି। ଏଥିସହିତ ଜଳବନ୍ଦୀ ଯୋଗୁଁ ରୋଷେଇ କରିପାରୁନଥିବା ଗୋପୀବିହାର କଲୋନୀ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୧୦୦ ଜଣ ପ୍ରଭାବିତ ଲୋକଙ୍କୁ ପୌରପାଳିକା ପକ୍ଷରୁ ମାଗଣାରେ ସୁଆଦୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି।
ଅପରପକ୍ଷରେ, ୱାର୍ଡ ନମ୍ବର ୦୮ ଖପରାପଡ଼ା ଅଞ୍ଚଳରେ ମଧ୍ୟ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ପୌର ପ୍ରଶାସନ ନଜର ରଖିଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନଆସିବା ପର୍ଯ୍ୟନ୍ତ ଏବଂ ଲୋକମାନେ ସ୍ୱାଭାବିକ ଅବସ୍ଥାକୁ ନଫେରିବା ଯାଏଁ ଏହି ସହାୟତା ଓ ସଫେଇ କାର୍ଯ୍ୟ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ପୌରପାଳିକାର ସ୍ୱତନ୍ତ୍ର ହେଲ୍ପଲାଇନ ସହ ଯୋଗାଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।


0 Comments