ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ସମ୍ବଲପୁରରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଇ ବିମାନବନ୍ଦର ପର୍ଯ୍ୟନ୍ତ AMA BUS ର ୨୧୧ AC ସେବା ଆରମ୍ଭ ହୋଇଛି । ଏହି ନୂଆ ବସ୍ ସେବା ଫଳରେ ସମ୍ବଲପୁର, ରେଙ୍ଗାଲି, ଲପଙ୍ଗା, ଥେଲକୋଲି, ବଡମାଲ ଓ ଝାରସୁଗୁଡା ଅଞ୍ଚଳର ଯାତ୍ରୀମାନେ ସିଧାସଳଖ ବିମାନବନ୍ଦର ସହ ଯୋଡ଼ାଯାଇପାରିବେ ।
ସୂଚନା ଅନୁସାରେ ଏହି ବସ୍ ସେବା ସମ୍ବଲପୁରର ଐଁଠାପାଲି ବସ୍ ଟର୍ମିନାଲରୁ ଆରମ୍ଭ ହୋଇ ଝାରସୁଗୁଡା ବିମାନବନ୍ଦର ପର୍ଯ୍ୟନ୍ତ ଯାଇଥାଏ । ରାସ୍ତାରେ ବିର୍ସାମୁଣ୍ଡା ଛକ, ଭାଲୁପାଲି, ସାସନ, ରେଙ୍ଗାଲି, ଲପଙ୍ଗା, ଠେଲକୋଲି, ବଡମାଲ, ବେହେରାମାଲ ଛକ, ଝାରସୁଗୁଡା ନୂଆ ବସ୍ଷ୍ଟାଣ୍ଡ ସହ ମୋଟ ୭୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବସ୍ ରହିବା ର ବ୍ୟବସ୍ଥା ରହିଛି ।
ପ୍ରତିଦିନ ସମ୍ବଲପୁରରୁ ସକାଳ ୬ଟାରୁ ରାତି ୭ଟା ପର୍ଯ୍ୟନ୍ତ ଏବଂ ଝାରସୁଗୁଡା ବିମାନବନ୍ଦରରୁ ସକାଳ ୮ଟା ୨୦ରୁ ରାତି ୯ଟା ୨୦ ପର୍ଯ୍ୟନ୍ତ ବସ୍ ଚଳାଚଳ କରିବ । ଉଭୟ ଦିଗକୁ ପ୍ରତିଦିନ ୨୨ଟି ସେବା ଉପଲବ୍ଧ ରହିବାକୁ ଥିବା ବେଳେ ଏହା ଯାତ୍ରୀମାନଙ୍କ ପାଇଁ ବଡ଼ ସହଜତା ଆଣିବ ବୋଲି ଆଶା କରାଯାଉଛି ।
ଏହି ବସ୍ରେ ଏସି ସୁବିଧା, ଅନଲାଇନ୍ ଟିକେଟ୍ ବୁକିଂ, ଲାଇଭ୍ GPS ଟ୍ରାକିଂ ଭଳି ଆଧୁନିକ ବ୍ୟବସ୍ଥା ମଧ୍ୟ ରହିଛି । ବିମାନ ଯାତ୍ରୀ, ଛାତ୍ରଛାତ୍ରୀ, ଶିଳ୍ପାଞ୍ଚଳର କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଏହି ସେବା ବେଶ୍ ଉପକାରୀ ସାବ୍ୟସ୍ତ ହେବ ।
ଦୀର୍ଘଦିନ ଧରି ସମ୍ବଲପୁରରୁ ଝାରସୁଗୁଡା ବିମାନବନ୍ଦରକୁ ସୁବିଧାଜନକ ଯାତାୟାତ ସେବାର ଆବଶ୍ୟକତା ଅନୁଭବ କରାଯାଉଥିଲା । AMA BUS ର ଏହି ନୂଆ ପଦକ୍ଷେପ ପଶ୍ଚିମ ଓଡ଼ିଶାର ଯାତାୟାତ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


0 Comments