ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ


 ଝାରସୁଗୁଡ଼ାଠାରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଓଏସଏପି ପଡ଼ିଆଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଗ ମହୋତ୍ସବ ସମିତିର ମିଳିତ ଆନୁକୂଳ୍ୟରେ "ଯୋଗ ମହୋତ୍ସବ-୨୦୨୬" ଆୟୋଜିତ ହୋଇଥିଲା। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ,  ବରଗଡ଼ ସାଂସଦ  ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମୁହିକ ଯୋଗାଭ୍ୟାସ କରିବା ସହ ସୁସ୍ଥ ସମାଜ ଗଠନରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏହି ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ  କୁଣାଲ ମୋତିରାମ ଚହ୍ବାଣ, ଆରକ୍ଷୀ ଅଧିକ୍ଷକ  ଜି ଆର ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ବ୍ରଜ ବନ୍ଧୁ ଭୋଇ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଉଚ୍ଚପଦସ୍ଥ ଅଧିକାରୀ, ପୋଲିସ ବାହିନୀ, ଆଇଆରବି ବାଟାଲିୟନର ଯବାନ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ପ୍ରତିନିଧି ଏବଂ ବିପୁଳ ସଂଖ୍ୟକ ଯୋଗପ୍ରେମୀ ଜନସାଧାରଣ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆରମ୍ଭରେ ଉପସ୍ଥିତ ସମସ୍ତ ସଦସ୍ୟ ଡିଜିଟାଲ୍ ମାଧ୍ୟମରେ କ୍ୟୁଆର୍ କୋଡ୍ ସ୍କାନ କରି ନିଜ ନିଜର ନାମ ପଞ୍ଜୀକରଣ କରିଥିଲେ।

ଏହି ସମାରୋହରେ ପ୍ରଶିକ୍ଷିତ ଯୋଗ ଗୁରୁ  ସୁଦାମ ପ୍ରଧାନ ଏବଂ ପ୍ରସନ୍ନଜିତ ସାହୁଙ୍କ ସମେତ ଜିଲ୍ଲା ଯୋଗ ମହୋତ୍ସବ ସମିତିର ସଦସ୍ୟ ସଦସ୍ୟାମାନେ ଯୋଗ ଶିବିର ପରିଚାଳନା କରିଥିଲେ। ସେମାନେ ମାନସିକ ଓ ଶାରୀରିକ ସୁସ୍ଥତା ରଖିବାରେ ଯୋଗର ଭୂମିକା ସମ୍ପର୍କରେ ସମ୍ୟକ ଧାରଣା ଦେବା ସହ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଆସନ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରାଇଥିଲେ। ସୁସ୍ଥ ଶରୀର ଏବଂ ଶାନ୍ତ ମନ ହିଁ ସମୃଦ୍ଧ ସମାଜର ମୂଳଦୁଆ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଏକ ସାମୁହିକ ସଂକଳ୍ପ ପାଠ କରାଯାଇଥିଲା। ଯେଉଁଥିରେ ପ୍ରତିଦିନ ନିୟମିତ ଭାବେ ଯୋଗ କରିବା, ଅନ୍ୟମାନଙ୍କୁ ଯୋଗ କରିବା ପାଇଁ ପ୍ରେରିତ କରିବା ଏବଂ ଏକ ସୁସ୍ଥ ତଥା ନିଶାମୁକ୍ତ ସମାଜ ଗଠନରେ ନିଜର ସହଯୋଗ ପ୍ରଦାନ କରିବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done