ମାନ୍ୟବର ରାଜସ୍ବ ମନ୍ତ୍ରୀ ଏବଂ ବିଧାୟକଙ୍କ ଦ୍ଵାରା ଶୁଭାରମ୍ଭ ହେଲା WhatsApp ଚାଟ୍‌ବଟ୍ ‘ସହଜ’ (SAHAJ)*


 *ମାନ୍ୟବର ରାଜସ୍ବ ମନ୍ତ୍ରୀ ଏବଂ ବିଧାୟକଙ୍କ ଦ୍ଵାରା ଶୁଭାରମ୍ଭ ହେଲା WhatsApp ଚାଟ୍‌ବଟ୍ ‘ସହଜ’ (SAHAJ)*

-ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ଲୋକଙ୍କ ସରକାର’ ଭିଜନକୁ ସାକାର କରିବା ଦିଗରେ ଝାରସୁଗୁଡ଼ା ଜିଲ୍ଲାର ବଡ଼ ପଦକ୍ଷେପ

-ଏବେ ଘରେ ବସି WhatsApp ମାଧ୍ୟମରେ ଅଭିଯୋଗ ଜଣାଇପାରିବେ ଜିଲ୍ଲାବାସୀ

-ଲୋକାର୍ପଣ ଉତ୍ସବରେ ଜିଲ୍ଲାର ଜଣେ ସାଧାରଣ ବାସିନ୍ଦା ସିଧାସଳଖ ନିଜ ଅଭିଯୋଗ ପଞ୍ଜିକୃତ କରି ‘ସହଜ’ ସେବାର କଲେ ଶୁଭାରମ୍ଭ

- *ଜନସାଧାରଣଙ୍କ ସ୍ୱର ଯେତେବେଳେ ପ୍ରଶାସନ ନିକଟରେ ଶୀଘ୍ର ପହଞ୍ଚେ, ସେତେବେଳେ ଗଣତନ୍ତ୍ର ଅଧିକ ମଜବୁତ ହୁଏ -* ମାନ୍ୟବର ମନ୍ତ୍ରୀ

- ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ପାଇଁ ଏବେ WhatsApp ନମ୍ବର ୮୯୯୯୪୭୦୮୨୪ ମାଧ୍ୟମରେ ହେବ ଅଭିଯୋଗ ସମାଧାନ

*ଝାରସୁଗୁଡ଼ା, ୧୦/୦୪:* ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ପରିଚାଳିତ "ଲୋକଙ୍କ ସରକାର"ର ସଂକଳ୍ପକୁ ପାଥେୟ କରି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଜନସେବା କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛି। ସାଧାରଣ ଜନତାଙ୍କ ସମସ୍ୟାର ସରଳ ଓ ଶୀଘ୍ର ସମାଧାନ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ନିଜସ୍ୱ ପ୍ରଚେଷ୍ଟା ଓ ପରିକଳ୍ପନାରୁ ଜନ୍ମ ନେଇଛି ଏହି ସ୍ୱତନ୍ତ୍ର WhatsApp ଚାଟ୍‌ବଟ୍ 'ସହଜ' (SAHAJ - Swift Access & Help by Administration Jharsuguda) ସ୍ଵିଫ୍ଟ ଆକ୍ସେସ ଏବଂ ସହାୟତା ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି।

ଏହି ଲୋକାଭିମୁଖୀ ଅଭିନବ ବ୍ୟବସ୍ଥାକୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ସମ୍ବଲପୁର ରାଜସ୍ୱ ବିଭାଗୀୟ କମିଶନର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, "ଆମ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ଶାସନକୁ ଲୋକଙ୍କ ନିକଟତର କରିବା। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ଏହି 'ସହଜ' ଚାଟ୍‌ବଟ୍ ସାଧାରଣ ଲୋକଙ୍କୁ ସଶକ୍ତ କରିବ। ଏହା ଦ୍ୱାରା ପ୍ରଶାସନିକ ବ୍ୟବସ୍ଥା ଅଧିକ ଉତ୍ତରଦାୟୀ ହେବ ଏବଂ ଗରିବ ଲୋକଟିଏ ନିଜ ସମସ୍ୟା ପାଇଁ ଆଉ ସରକାରୀ ଦପ୍ତରକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କ ସ୍ୱର ଯେତେବେଳେ ପ୍ରଶାସନ ନିକଟରେ ଶୀଘ୍ର ପହଞ୍ଚେ, ସେତେବେଳେ ଗଣତନ୍ତ୍ର ଅଧିକ ମଜବୁତ ହୁଏ। 'ସହଜ' ମାଧ୍ୟମରେ ଲୋକେ ଏବେ ସିଧାସଳଖ ଜିଲ୍ଲା ପ୍ରଶାସନ ସହ ଯୋଡ଼ି ହୋଇପାରିବେ "

ଏଥିସହ ମାନ୍ୟବର ବିଧାୟକ, ଝାରସୁଗୁଡ଼ା ଶ୍ରୀ ଟଙ୍କଧର ତ୍ରିପାଠୀ, କହିଛନ୍ତି ଯେ, "ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସଶକ୍ତ କରିବା ପାଇଁ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଅପରିହାର୍ଯ୍ୟ। 'ସହଜ' (SAHAJ) ମାଧ୍ୟମରେ ଆମେ ଆପଣଙ୍କ ସମସ୍ୟା ଶୁଣିବାକୁ ପ୍ରସ୍ତୁତ, କିନ୍ତୁ ଏହି ସୁବିଧାର ସଠିକ୍ ଓ ଦାୟିତ୍ୱବାନ ବ୍ୟବହାର କରିବାକୁ ମୁଁ ସମସ୍ତ ଝାରସୁଗୁଡ଼ାବାସୀଙ୍କୁ ଅନୁରୋଧ କରୁଛି। ଆପଣ ନିଜ ଅଧିକାର ପ୍ରତି ଅଧିକ ସଚେତନ ଓ ସତର୍କ ହୁଅନ୍ତୁ ଏବଂ କେବଳ ପ୍ରକୃତ ସମସ୍ୟାଗୁଡ଼ିକୁ ପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ। ଯେତେବେଳେ ଜଣେ ସଚେତନ ନାଗରିକ ଓ ଏକ ସକ୍ରିୟ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରନ୍ତି, ସେତେବେଳେ ହିଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 'ଲୋକଙ୍କ ସରକାର'ର ସ୍ୱପ୍ନ ସାର୍ଥକ ହେବ।

ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, 'ସହଜ' (SAHAJ) ର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ପ୍ରଶାସନର ସଫଳତା କେବଳ ଯୋଜନା ପ୍ରଣୟନରେ ନାହିଁ, ବରଂ ଏହାର ସୁଫଳ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ଉପରେ ନିର୍ଭର କରେ। ଜିଲ୍ଲାପାଳଙ୍କ ନିଜସ୍ୱ ଚିନ୍ତାଧାରା ଓ ପ୍ରଯୁକ୍ତିବିଦ୍ୟାର ସଠିକ୍ ସମନ୍ୱୟରେ ଗଢ଼ିଉଠିଥିବା ଏହି 'ସହଜ' ଚାଟ୍‌ବଟ୍, ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବ। ବିଶେଷ କରି ଦୁର୍ଗମ ଅଞ୍ଚଳର ଲୋକମାନେ ଯେଭଳି ସରକାରୀ ସେବା ପାଇଁ ହଇରାଣ ନହୁଅନ୍ତି, ସେଥିପାଇଁ ଏହାକୁ ଅତି ସରଳ ଭାବେ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ରାଜସ୍ୱ ବିଭାଗୀୟ କମିଶନର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, "ପ୍ରଶାସନିକ ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବା ଦିଗରେ 'ସହଜ' (SAHAJ) ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ପ୍ରଶାସନିକ କାର୍ଯ୍ୟଧାରାରେ ମାନବୀୟ ହସ୍ତକ୍ଷେପ ହ୍ରାସ ପାଇବ ଏବଂ ଅଭିଯୋଗ ସମାଧାନ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଏହି ଅଭିନବ ମଡେଲ୍ ସମଗ୍ର ରାଜ୍ୟ ପାଇଁ ଏକ ଅନୁକରଣୀୟ ଉଦାହରଣ ସାଜିବ।"

ଏହି ଅବସରରେ ଜିଲ୍ଲାର ଜଣେ ସାଧାରଣ ବାସିନ୍ଦା ଶ୍ରୀ ଶତ୍ରୁଘ୍ନ ପାତ୍ରଙ୍କ ଦ୍ୱାରା ପ୍ରଥମେ ଏହି ଚାଟ୍‌ବଟ୍ ବ୍ୟବହାର କରାଯାଇ ଅଭିଯୋଗ ପଞ୍ଜିକରଣର ଶୁଭାରମ୍ଭ କରାଯାଇଥିଲା, ଯାହା "ଲୋକଙ୍କ ସରକାର"ର ପ୍ରକୃତ ପ୍ରତିଫଳନ ଅଟେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏନିମେଟେଡ୍ ଭିଡିଓ ମାଧ୍ୟମରେ ଏହାର କାର୍ଯ୍ୟକାରିତା ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ଏବଂ ଉପ ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏଠାରେ ସୂଚନଯୋଗ୍ୟଯେ, "ସହଜ" ହେଉଛି ଏକ ପ୍ରଯୁକ୍ତିଭିତ୍ତିକ ସେବା, ଯେଉଁଠାରେ ଜିଲ୍ଲାର ଯେକୌଣସି ବ୍ୟକ୍ତି କୌଣସି ଅତିରିକ୍ତ ଆପ୍ ଡାଉନଲୋଡ୍ ନକରି କେବଳ WhatsApp ମାଧ୍ୟମରେ ନିଜର ଅଭିଯୋଗ ପଞ୍ଜିକୃତ କରିପାରିବେ। ଏହା ଦ୍ୱାରା ଅଭିଯୋଗର ସ୍ଥିତି ଜାଣିବା ଏବଂ ସମାଧାନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ ହୋଇପାରିବ।

ବର୍ତ୍ତମାନ ଜିଲ୍ଲାର ଯେକୌଣସି ନାଗରିକ ନିଜ ମୋବାଇଲ୍‌ରେ +91 89994 70824 ନମ୍ବରକୁ ସେଭ୍ କରି ସିଧାସଳଖ WhatsApp ମାଧ୍ୟମରେ ନିଜର ସମସ୍ୟା ଜଣାଇପାରିବେ। ଏହି ଚାଟ୍‌ବଟ୍‌ଟି ଅତି ସରଳ ଏବଂ ବ୍ୟବହାରକାରୀଙ୍କୁ ପ୍ରତିଟି ପଦକ୍ଷେପରେ ସଠିକ୍ ମାର୍ଗଦର୍ଶନ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆରମ୍ଭ ହୋଇଥିବା ଏହି 'ସହଜ' ସେବା ଦିନ ରାତି ୨୪ ଘଣ୍ଟା ଉପଲବ୍ଧ ରହୁଥିବାରୁ ଜନସାଧାରଣ ଯେକୌଣସି ସମୟରେ ନିଜର ଅଭିଯୋଗ ପଞ୍ଜିକୃତ କରିପାରିବେ। ଏହାର ସରଳ କାର୍ଯ୍ୟପ୍ରଣାଳୀ ଯୋଗୁଁ ବ୍ୟବହାରକାରୀମାନେ WhatsApp ମାଧ୍ୟମରେ ସହଜରେ ନିଜ ସମସ୍ୟାର ଫଟୋ ଓ ପ୍ରାସଙ୍ଗିକ ଦସ୍ତାବିଜ ଅପଲୋଡ୍ କରିପାରିବାର ସୁବିଧା ରହିଛି। ଅଭିଯୋଗର ସ୍ଥିତି ସମ୍ପର୍କରେ ନିୟମିତ ଭାବେ ମେସେଜ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯିବା ସହ ସମଗ୍ର ପ୍ରକ୍ରିୟାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରତ୍ୟକ୍ଷ ଭାବେ କେନ୍ଦ୍ରୀୟ ତଦାରଖ କରାଯିବ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଏହି ଅଭିନବ ପଦକ୍ଷେପ ଆଜି ସମଗ୍ର ରାଜ୍ୟ ପାଇଁ ଏକ ଅନୁକରଣୀୟ ମଡେଲ ଭାବେ ଉଭା ହୋଇଛି। 'ସରଳ ଶାସନ, ସ୍ୱଚ୍ଛ ପ୍ରଶାସନ' ର ସ୍ଲୋଗାନକୁ ବାସ୍ତବ ରୂପ ଦେଇ ଝାରସୁଗୁଡ଼ା ଏବେ ଏକ ସ୍ମାର୍ଟ, ସ୍ୱଚ୍ଛ ଓ ପ୍ରଗତିଶୀଳ ଜିଲ୍ଲା ଭାବେ ନିଜର ପରିଚୟ ସୃଷ୍ଟି କରୁଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done