ଝାରସୁଗୁଡ଼ାରେ ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମ


 *ଝାରସୁଗୁଡ଼ା  ଜିଲ୍ଲା ପ୍ରଶାସନ ଏବଂ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଅଞ୍ଚଳରେ ‘ନାରୀ ଶକ୍ତି ବନ୍ଦନା’ ତଥା ‘ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଛନ୍ତି। ଆଜି ସକାଳ ୯:୦୦ ଘଟିକା ସମୟରେ ବେହେରାମାଲ ଛକଠାରୁ ଏକ ବିଶାଳ ସଚେତନତା ରାଲି ବାହାରିଥିଲା। ଏହି ଶୋଭାଯାତ୍ରା ବେହେରାମାଲରୁ ବାହାରି ସହର ପରିକ୍ରମା କରିବା ସହ ଏମ.ସି.ଏଲ ଅଡିଟୋରିୟମ ପର୍ଯ୍ୟନ୍ତ ଯାଇଥିଲା। ହାତରେ ସଚେତନତା ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ ଧରି ମହିଳାମାନେ ସମାଜରେ ସ୍ୱାସ୍ଥ୍ୟ ଓ ସ୍ୱାଧୀନତାର ବାର୍ତ୍ତା ପ୍ରସାର କରିଥିଲେ। ପରବର୍ତ୍ତୀ ସମୟରେ ଅଡିଟୋରିୟମ ପରିସରରେ ଏକ ସ୍ୱତନ୍ତ୍ର ସଚେତନତା ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ନାୟକ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମହିଳାଙ୍କ ଜୀବନଶୈଳୀରେ ସ୍ୱାସ୍ଥ୍ୟ, ପୋଷଣ ଏବଂ ପରିମଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା କିପରି ସେମାନଙ୍କ ପରିବାରର ଜୀବିକାକୁ ପ୍ରଭାବିତ କରେ, ସେ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଏହି ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା। ବିଶେଷ କରି ମାତୃ ଗର୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଯେଉଁ ସୁରକ୍ଷା ଚକ୍ର ପ୍ରସ୍ତୁତ କରିଛନ୍ତି, ତାର ସୁଫଳ ଯେପରି ପ୍ରତିଟି ମହିଳାଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ଏକ ବ୍ୟାପକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସାମାଜିକ ସୁରକ୍ଷା ସହିତ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ହିଁ ଏହି ଅଭିଯାନର ମୂଳ ଅଭିପ୍ରାୟ ବୋଲି କହିଥିଲେ।

ଆଲୋଚନା ଚକ୍ରରେ ମହିଳାମାନଙ୍କ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ, ସଠିକ୍ ପୋଷଣ ଏବଂ ପରିମଳର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସ୍ୱଚ୍ଛତା ଓ ଉତ୍ତମ ସ୍ୱାସ୍ଥ୍ୟ କିପରି ଜଣେ ମହିଳାର ଆତ୍ମବିଶ୍ୱାସ ବଢ଼ାଇବା ସହ ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥାଏ, ସେ ସମ୍ପର୍କରେ ବିଶେଷଜ୍ଞମାନେ ମତ ରଖିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସ୍ୱାସ୍ଥ୍ୟ ରକ୍ଷାକୁ ଏକ ଜୀବନଶୈଳୀ ଭାବେ ଆପଣାଇବାକୁ ଏହି ଅବସରରେ ଶପଥ ନେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ‘ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ’ ଅଭିଯାନ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଏକ ବିସ୍ତୃତ ଉପସ୍ଥାପନା (PPT) ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନର ଡିପିଏମ ଡକ୍ଟର ପୁଷ୍ପଶ୍ରୀ ନାୟକ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ମାତୃ ଗର୍ଭରୁ ଜନ୍ମ ଏବଂ ଶେଷ ସମୟ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ। ଗର୍ଭବତୀ ମହିଳାଙ୍କ ଯତ୍ନ ଠାରୁ ଆରମ୍ଭ କରି ଶିଶୁ କନ୍ୟାର ଶିକ୍ଷା, ବିବାହ ଏବଂ ବୃଦ୍ଧାବସ୍ଥାରେ ସାମାଜିକ ସମ୍ମାନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଉଦ୍ଦିଷ୍ଟ ଯୋଜନା ସମ୍ପର୍କରେ ଏସଏଚଜି ସଦସ୍ୟାମାନଙ୍କୁ ଅବଗତ କରାଯାଇଥିଲା। ଏହି ସୂଚନା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅଧିକ ଉତ୍ସାହିତ କରିଛି। 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟାଂଶୁ ରୁଟ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ORMAS ର ଡେପୁଟି ସିଇଓ ଶ୍ରୀଯୁକ୍ତ ଯୁବରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ BLF ସଭାପତି ବୀଣାପାଣି ମଗର, BLF କାର୍ଯ୍ୟକାରୀ କମିଟି ସଦସ୍ୟା ସୁବର୍ଣ୍ଣ ପଟେଲ, କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ ଏବଂ ମାରକୁଟା ସମାଜସେବୀ ବିଳାସିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ପରିଚାଳନା କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done