ଗ୍ରୀଷ୍ମ ପ୍ରବାହର ସମୟରେ ଜନସାଧାରଣ ବିଶେଷ କରି ଜାତୀୟ ରାଜପଥ -୪୯ ଦେଇ ଯାତାୟାତ କରୁଥିବା ଟ୍ରକ ଚାଳକ ଏବଂ ହେଲପରମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇ ସ୍ଥିତିର ସମୀକ୍ଷା କରିବା ସହିତ କହିଥିଲେ ଯେ, ଜାତୀୟ ରାଜପଥ -୪୯ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି କୌଣସି ଜୀବନହାନି ନହୁଏ, ତାହା ନିଶ୍ଚିତ କରିବା ପୋଲିସ ଓ ପ୍ରଶାସନର ମୁଖ୍ୟ ଦାୟିତ୍ୱ। ବିଶେଷ କରି ସକାଳ ୧୧ଟା ପରେ ଏହି ମାର୍ଗରେ ସୁରକ୍ଷା ବ୍ୟବସ୍ଥା ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସେ ଏକ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋବିନ୍ଦପୁର ଟୋଲ୍ ପ୍ଲାଜା ନିକଟରେ ସିନଟେକ୍ସ ଟାଙ୍କି ଏବଂ ପାନୀୟ ଜଳର ସୁବିଧା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ଏହି ବୈଠକରେ, ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ରାୟଗଡ଼ (ଛତିଶଗଡ଼) ଜିଲ୍ଲାପାଳ ଶ୍ରୀ ମୟଙ୍କ ଚତୁର୍ବେଦୀ, ଏମ.ସି.ଏଲ୍ ର ସିଏମଡି ଶ୍ରୀ ଉଦୟ ଏ. କାଓଲେ (ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ) ଏବଂ ଉଭୟ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ କହିଥିଲେ ଯେ, ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ଏବଂ ଗ୍ରୀଷ୍ମ ପ୍ରବାହ ଅଞ୍ଚଳରେ ବିଶେଷ ନଜର ରଖାଯାଇଛି। ସେହିପରି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଚତୁର୍ବେଦୀ ଚାଳକମାନଙ୍କ ସଚେତନତା ଓ ସୁରକ୍ଷା କରିଡର ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। NHAI ଏବଂ PWD ବିଭାଗ ସହାୟତାରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ ସାଇନ ବୋର୍ଡ ଲଗାଯିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ।
ଏହି ବୈଠକରେ, ଗ୍ରୀଷ୍ମ ପ୍ରବାହର ମୁକାବିଲା ଏବଂ ଚାଳକମାନଙ୍କ ସୁରକ୍ଷା ପାଇଁ ଏହି ସମନ୍ୱୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ଏବଂ ମେ ମାସରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନନ୍-ଏସି ପରିବହନ ଯାନ ଚଳାଚଳ ଉପରେ କଟକଣା ଲଗାଯିବା ସହ ଶ୍ରମିକମାନଙ୍କ ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ସ୍ଥାନରେ କାର୍ଯ୍ୟ କରିବାକୁ ନିଷେଧ କରାଯାଇଛି। ପରିବହନ ଯାନଗୁଡ଼ିକର କ୍ରୁ-କ୍ୟାବିନକୁ ଏସିରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଓ ହାଇଡ୍ରେସନ କିଓସ୍କ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଗୋବିନ୍ଦପୁର ଟୋଲ୍ ପ୍ଲାଜା ନିକଟରେ ମୋବାଇଲ୍ ୱାଟର କିଓସ୍କ ବ୍ୟବସ୍ଥା କରାଯିବ। ଟ୍ରକ ପାର୍କିଂ ଅଞ୍ଚଳରେ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ବିଶ୍ରାମ କକ୍ଷ ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଶିଳ୍ପ ଓ ପରିବହନ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏହା ବ୍ୟତୀତ, ରାସ୍ତାରେ ୱାଟର ସ୍ପ୍ରିଙ୍କଲର ବ୍ୟବହାର ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ଜାତୀୟ ରାଜପଥ ୪୯ର ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ମଣିଷଙ୍କ ସହ ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଳକୁଣ୍ଡର ବ୍ୟବସ୍ଥା କରିବାକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଚାଳକମାନଙ୍କ ସୁରକ୍ଷା ପାଇଁ ଯାନବାହନ ବୀମା ସହିତ ସେମାନଙ୍କ ଜୀବନ ବୀମାକୁ ସଂଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ଓ.ଆରଏସ ରଖିବା ପାଇଁ ମଧ୍ୟ ମେଡିକାଲ ଟିମକୁ କୁହାଯାଇଛି।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ସବର ଏବଂ ଉଭୟ ଜିଲ୍ଲାର ଶ୍ରମ ଅଧିକାରୀ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ବୈଠକରେ ଆଲୋଚନା କରାଯାଇଥିଲା।


0 Comments