ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ମୃତ୍ତିକା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ପରିଦର୍ଶନ କାଳରେ ସେ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିବା ସହ କୃଷି ଅଧିକାରୀଙ୍କ ସହ ଜିଲ୍ଲାର କୃଷି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।ବିଶେଷ କରି ମୃତ୍ତିକା ପରୀକ୍ଷା ଲାବୋରେଟୋରୀରେ ଚାଷୀଙ୍କ ଜମିରୁ ସଂଗୃହିତ ମୃତ୍ତିକାର ନମୁନା ପରୀକ୍ଷଣ କିଭଳି କରାଯାଉଛି, ସେ ନେଇ ଜିଲ୍ଲାପାଳ ପଚାରି ବୁଝିଥିଲେ। ମୃତ୍ତିକାର ଗୁଣବତ୍ତା ଅନୁଯାୟୀ ଚାଷୀମାନେ କିଭଳି ଉପଯୁକ୍ତ ସାର ଓ ବିହନ ବ୍ୟବହାର କରିବେ, ସେଥିପାଇଁ ସେମାନଙ୍କୁ ତୁରନ୍ତ 'ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ' ଯୋଗାଇଦେବାକୁ ଜିଲ୍ଲାପାଳ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପରୀକ୍ଷା କେନ୍ଦ୍ରରେ ଥିବା ବିଭିନ୍ନ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ସହ ଲାବୋରେଟୋରୀର ପରିବେଶକୁ ସ୍ୱଚ୍ଛ ରଖିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ହୁଏ, ସେଥିପ୍ରତି ଯତ୍ନବାନ ରହିବାକୁ ସେ କୃଷି ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।


0 Comments