ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫*


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆଠାରେ ଆଜି ଏକ ବୃହତ ଦୁଇ ଦିନିଆ "ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫" ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ।ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏହି ମେଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ମେଳାରେ ଝାରସୁଗୁଡ଼ା ଜିଲ୍ଲାର ୫ଟି ପ୍ରମୁଖ ବ୍ଲକ ଯଥା— ଲାଇକେରା, କିର୍ମିରା, ଝାରସୁଗୁଡ଼ା, ଲଖନପୁର ଏବଂ କୋଲାବିରାରୁ ୫୦୦ରୁ ଅଧିକ ସଫଳ ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀ ଅଂଶଗ୍ରହଣ କରିଥିଲେ।

ସଭାକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ପୂଜାରୀ ଚାଷୀଙ୍କ ପାଇଁ ସରକାରଙ୍କ ଦୂରଦୃଷ୍ଟି ସମ୍ପର୍କରେ କହିଥିଲେ ଯେ, "ଓଡ଼ିଶାର ବର୍ତ୍ତମାନର ସରକାର ହେଉଛି ଜନସାଧାରଣଙ୍କ ସରକାର ଏବଂ ଚାଷୀଙ୍କ ବିକାଶ ପାଇଁ ଆମେ ସର୍ବଦା ‘ପ୍ରୋ-ଆକ୍ଟିଭ୍’ ଭାବେ କାର୍ଯ୍ୟ କରୁଛୁ। ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ କେବଳ ଏକ ପାରମ୍ପରିକ ଜୀବିକା ନୁହେଁ, ବରଂ ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆଧାର। ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଶେଷ ଧାଡ଼ିରେ ଥିବା ଚାଷୀଙ୍କ ପାଖରେ ସରକାରୀ ଯୋଜନା ଓ ସାହାଯ୍ୟ ପହଞ୍ଚାଇବା, ଯେପରି ପ୍ରତିଟି ଗ୍ରାମୀଣ ପରିବାର ଆତ୍ମନିର୍ଭରଶୀଳ ହୋଇପାରିବେ। ଆମ ରାଜ୍ୟର କୃଷକ ମାନେ ହେଉଛନ୍ତି ନୂତନ ଓଡ଼ିଶାର ବିନ୍ଧାଣୀ।"

ଏହି ଜିଲ୍ଲାସ୍ତରୀୟ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ବିଭାଗ ପକ୍ଷରୁ ସ୍ଥାପିତ ୨୦ରୁ ଅଧିକ ପ୍ରଦର୍ଶନୀ ଷ୍ଟଲ୍, ଯାହା ଚାଷୀମାନଙ୍କୁ ସରକାରୀ ଯୋଜନା ଓ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସହ ସିଧାସଳଖ ଯୋଡ଼ିବାରେ ସଫଳ ହୋଇଥିଲା। ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ୪ଟି ସ୍ୱତନ୍ତ୍ର ପଞ୍ଜିକରଣ ଓ ପରାମର୍ଶ କେନ୍ଦ୍ର ଖୋଲାଯାଇ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଇଥିବା ବେଳେ ୫ଟି କାଉଣ୍ଟରରେ ଜୀବନ୍ତ ପଶୁ ଓ ମାଛ ଚାଷର ‘ଲାଇଭ୍ ଡେମୋନଷ୍ଟ୍ରେସନ’ ମାଧ୍ୟମରେ ଆଧୁନିକ ପ୍ରଣାଳୀ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା। ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦେଇ SBI ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ର ସ୍ୱତନ୍ତ୍ର ଷ୍ଟଲ୍ ଜରିଆରେ ସରକାରୀ ସହାୟତା ଓ ଋଣ ସୁବିଧା ବିଷୟରେ ବୁଝାଯାଇଥିଲା। ଏଥିସହ କୃଷି ବିଜ୍ଞାନ କେନ୍ଦ୍ର, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି ଓ ଓମଫେଡ୍ ଭଳି ବିଭିନ୍ନ ବିଭାଗ ପକ୍ଷରୁ ନୂତନ ଜ୍ଞାନକୌଶଳ ପ୍ରଦର୍ଶିତ ହେବା ସହ ମା’ ସରସ୍ୱତୀ ମିଶନ ଶକ୍ତି ଗ୍ରୁପ୍ ପକ୍ଷରୁ ମହିଳା ଉଦ୍ୟୋଗୀଙ୍କ ସଫଳ ମଡେଲ୍ ଉପସ୍ଥାପନ କରାଯାଇଥିଲା।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦୟା ସାଗର ଦୁରିଆଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ସଭାର ଶେଷ ପର୍ଯ୍ୟାୟରେ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଫଳ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ମତ୍ସ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳାଟି ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done