ସାଇବର କବଚ ଅଭିଯାନରେ ଓରିଏଣ୍ଟ ପୁଲିସ ଏକ ସଂଗଠିତ ଅନ୍ତଃରାଜ୍ୟ ସାଇବର ଅପରାଧୀ ନେଟୱର୍କର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଓରିଏଣ୍ଟ ଥାନା ଅନ୍ତର୍ଗତ ଗାୟତ୍ରୀନଗରର ଗଣପତି ରାୟ ଏବଂ ଆଦର୍ଶନଗର ଅଞ୍ଚଳର ରାଜ କୁମାର। ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ସ୍ମାର୍ଟଫୋନ୍, ଦୁଇଟି ଆଧାର କାର୍ଡ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଦସ୍ତାବିଜ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗ୍ୟାଙ୍ଗର ମୁଖ୍ୟ ଅମିତ ସିଂହର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଇସାରାରେ ଏହି ଦୁଇ ଅଭିଯୁକ୍ତ ସାଇବର ଅପରାଧ ଜଗତରେ କାର୍ଯ୍ୟ କରୁଥିଲେ। ପୋଲିସ ସୂଚନା ଅନୁଯାଇ , ଏହି ଠକେଇର ଶୈଳୀ ଅତ୍ୟନ୍ତ ଚତୁର ତଥା ଯୋଜନାବଦ୍ଧ ଥିଲା। ଏହି ଗ୍ୟାଙ୍ଗର ସଦସ୍ୟମାନେ ସାଧାରଣ ନିରୀହ ଲୋକଙ୍କୁ ବିଭିନ୍ନ ଆର୍ଥିକ ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ପରବର୍ତ୍ତୀ ସମୟରେ ଏହି ଆକାଉଣ୍ଟଗୁଡ଼ିକୁ ସେମାନେ 'ମ୍ୟୁଲ୍ ଆକାଉଣ୍ଟ' (Mule Account) ଭାବେ ବ୍ୟବହାର କରୁଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ସାଇବର ଠକେଇ ମାଧ୍ୟମରେ ଲୁଟ୍ କରାଯାଉଥିବା କଳାଟଙ୍କାକୁ ଏହି ଆକାଉଣ୍ଟଗୁଡ଼ିକ ଜରିଆରେ ସ୍ଥାନାନ୍ତର କରାଯାଉଥିଲା। ତେବେ , ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଲିଙ୍କ୍ ଦେଶର ୮ଟି ଭିନ୍ନ ଭିନ୍ନ ରାଜ୍ୟରେ ହୋଇଥିବା ସାଇବର ଠକେଇ ମାମଲା ସହ ଜଡିତ ରହିଛି।


0 Comments