ସଦର ଥାନାରେ ରୁଜୁ ହେଲା ମାମଲା । ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
ଝାରସୁଗୁଡ଼ା ସହର ଉପକଣ୍ଠ ସାରସମାଲ ସ୍ଥିତ ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ବିଳମ୍ବିତ ରାତିରେ କବାଟ ତାଡ଼ି ବ୍ୟାପକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରକୁ ପଶିବା ସହ ମେଡିକାଲର ଅନେକ ଦାମୀ ସାମଗ୍ରୀ ଲୁଟି ନେଇଛନ୍ତି । ତେବେ ହସ୍ପିଟାଲ କର୍ମଚାରୀମାନେ କାର୍ଯ୍ୟକୁ ଆସିବା ବେଳେ ମୁଖ୍ୟ ଦ୍ବାରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯାଇ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, କେହି ଦୁର୍ବୃତ୍ତ ପଢ଼ି ଚୋରି କରି ଫେରାର ମାରିଛି । ଚୋରି ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ୨ଟି ଇନଭର୍ଟର ବ୍ୟାଟେରୀ, ସିସିଟିଭି ରେକର୍ଡର, ଏଲଇଡି ଟିଭି, ହସ୍ପିଟାଲ ଆସବାବପତ୍ର ଓ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଉପକରଣ । ଏ ସମ୍ପର୍କରେ ହସ୍ପିଟାଲର ଫାର୍ମାସିଷ୍ଟ ଝାରସୁଗୁଡ଼ା ସଦର ଥାନାରେ ଏକ ଲିଖୂତ ଏତଲା ଦାୟର କରିଛନ୍ତି । ସିସିଟିଭିର ଡିଭିଆର ଚୋରି ହୋଇଯାଇଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି । ଏହି ଚୋରି ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରର ଆର୍ଥିକ କ୍ଷତି ହେବା ସହ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ବାଧା ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନୁ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।


0 Comments