କେନ୍ଦ୍ର ସରକାରଙ୍କ ଶ୍ରମ ସଂସ୍କାର ଏବଂ କର୍ପୋରେଟ୍ ଅଭିମୁଖୀ ଆର୍ଥିକ ନୀତି ପ୍ରତିବାଦରେ ଆସନ୍ତାକାଲି (ବୁଧବାର) ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଦେଶର ପ୍ରାୟ ୧୦ଟି ପ୍ରମୁଖ ଟ୍ରେଡ୍ ୟୁନିୟନ ଏବଂ ଶତାଧିକ କୃଷକ ସଙ୍ଗଠନର ମିଳିତ ଆହ୍ୱାନରେ ଏହି ୨୪ ଘଣ୍ଟିଆ ମହାହରତାଳ ପାଳନ କରାଯିବ। କେନ୍ଦ୍ରର ଶ୍ରମ ବିରୋଧୀ ଆଇନ ଯୋଗୁଁ ଶ୍ରମିକ ଓ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ କରି CITU, AITUC, INTUC ଏବଂ HMS ଭଳି ସଙ୍ଗଠନ ଏହି ରଣହୁଙ୍କାର ଦେଇଛନ୍ତି। ଏହି ଆନ୍ଦୋଳନରେ ପ୍ରାୟ ୩୦ କୋଟି ଶ୍ରମିକ ସାମିଲ ହେବେ ବୋଲି ଆଶା କରାଯାଉଛି।
ଏହି ବନ୍ଦ ଯୋଗୁଁ ସାରା ଦେଶରେ ସାଧାରଣ ଜନଜୀବନ ସ୍ତବ୍ଧ ହେବାର ଆଶଙ୍କା ରହିଛି। ବିଶେଷକରି ବ୍ୟାଙ୍କିଙ୍ଗ୍ ସେବା, ସରକାରୀ ଓ ବେସରକାରୀ ପରିବହନ, ବଜାର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ। ରେଳ ଓ ସଡ଼କ ପଥ ଅବରୋଧ ହେବା ସମ୍ଭାବନା ଥିବାରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। ତେବେ ଜନସାଧାରଣଙ୍କ ସୁବିଧା ପାଇଁ ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ, ଦୁଗ୍ଧ ଓ ପାନୀୟ ଜଳ ଭଳି ଜରୁରୀ ସେବାକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ଖୋଲା ରଖାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି।


0 Comments