ଝାରସୁଗୁଡ଼ା ଜିଲ୍ଲାର ଜଣେ ଦକ୍ଷ ତଥା ନିଷ୍ଠାପର "ଆପଦା ମିତ୍ର" ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା ଖୁସବୁ ଜୟପୁରିଆ ନିଜର ଅସାଧାରଣ ସେବା ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୨୦୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ତାଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଥିଲା। ଏହି ଅବସରରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିଷ୍ଠିତ "ଏଟ୍ ହୋମ୍" (At Home) ସମ୍ବର୍ଦ୍ଧନା ସଭାରେ ମଧ୍ୟ ଅଂଶଗ୍ରହଣ କରିବାର ବିରଳ ସୁଯୋଗ ପାଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଖୁସବୁଙ୍କର ଏହି ଗର୍ବର ବିଷୟକୁ ସମ୍ମାନ ଜଣାଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଖୁସବୁଙ୍କୁ ଫଳ ଟୋକେଇ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଏହି ସଫଳତା ଅନ୍ୟ ସ୍ବେଚ୍ଛାସେବୀଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଖୁସବୁଙ୍କ ସେବା ମନୋଭାବ ଓ ନିରନ୍ତର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।


0 Comments