ଲଗାତାର ତିନି ଦିନର ଛୁଟି ପରେ ଆଜି ବ୍ୟାଙ୍କ ଖୋଲିବା ନେଇ ଗ୍ରାହକମାନେ ଆଶାବାଦୀ ଥିଲେ ମଧ୍ୟ ସେମାନଙ୍କୁ ପୁଣି ନିରାଶ ହେବାକୁ ପଡ଼ିପାରେ। ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଦାବିରେ ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ’ (UFBU) ପକ୍ଷରୁ ଡାକରା ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ଆଜି ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି। ଯଦିଓ ରିଜର୍ଭ ବ୍ୟାଙ୍କ କ୍ୟାଲେଣ୍ଡର ଅନୁଯାୟୀ ଆଜି ସରକାରୀ ଛୁଟି ନାହିଁ, ତଥାପି ଆନ୍ଦୋଳନ ଯୋଗୁଁ ଏସବିଆଇ (SBI), ପିଏନବି (PNB), କାନାରା ବ୍ୟାଙ୍କ ଭଳି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ଠପ୍ ହୋଇଯାଇଛି। ଫଳରେ ନଗଦ ଜମା, ଉଠାଣ ଏବଂ ଚେକ୍ କ୍ଲିୟରାନ୍ସ ପାଇଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେବେ। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ, ଏଚଡିଏଫସି (HDFC), ଆଇସିଆଇସିଆଇ (ICICI) ଓ ଆକ୍ସିସ ଭଳି ଘରୋଇ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ରହିଛି। ସେହିପରି ଡିଜିଟାଲ୍ ବ୍ୟବସ୍ଥାରେ ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ ଏବଂ ଅଧିକାଂଶ ଏଟିଏମ୍ ସେବା ଚାଲୁରହିଛି। କିନ୍ତୁ ଲଗାତାର ବନ୍ଦ ଯୋଗୁଁ କିଛି ଏଟିଏମରେ ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇପାରେ। ଜରୁରୀ କାର୍ଯ୍ୟ ପାଇଁ ଗ୍ରାହକମାନଙ୍କୁ ଡିଜିଟାଲ ମାଧ୍ୟମ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।


0 Comments