ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭୧ ପରିବାରକୁ ଘର ଓ ୧୫୭ ଭୂମିହୀନଙ୍କୁ ମିଳିଲା ଜମି ପଟ୍ଟା*


 ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ୍ ପରିସରରେ ବିଭିନ୍ନ ସରକାରୀ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ବରଗଡ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ  ଏବଂ ଝାରସୁଗୁଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ସହାୟତା ରାଶି, ଜମି ପଟ୍ଟା ଏବଂ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି, "ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ଆମର ଲକ୍ଷ୍ୟ। ଆଜି ପ୍ରଦାନ କରାଯାଇଥିବା ସହାୟତା ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ପରିବାରରେ ଖୁସି ଆଣିଦେବ।" 

ସେହିପରି ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ କହିଛନ୍ତି ଯେ, "କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଝାରସୁଗୁଡ଼ାର ଯୁବପିଢ଼ି ଓ ଶ୍ରମିକ ଶ୍ରେଣୀ ଆଜି ଉପକୃତ ହେଉଛନ୍ତି। ନିଯୁକ୍ତି ଠାରୁ ଆରମ୍ଭ କରି ବାସଗୃହ ଯୋଗାଇଦେବା ପର୍ଯ୍ୟନ୍ତ ପ୍ରତିଟି ପ୍ରତିଶ୍ରୁତି ପୂରଣ କରାଯାଉଛି।"

ସହରାଞ୍ଚଳରେ ବାସହୀନ ପରିବାରଙ୍କୁ ନିଜସ୍ୱ ପକ୍କାଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୭୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ୨.୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଉଛି।ଜିଲ୍ଲାର ଭୂମିହୀନ ଲୋକଙ୍କୁ ସ୍ଥାୟୀ ଠିକଣା ଦେବା ପାଇଁ ବସୁନ୍ଧରା ଯୋଜନା ଅନୁଯାୟୀ ୧୫୭ ଜଣ ହିତାଧିକାରୀଙ୍କୁ ଭୂମି ପଟ୍ଟା ପ୍ରଦାନ କରାଯାଇଛି। ଏହି ଅଭିଯାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାସଗୃହ ନିର୍ମାଣ ପାଇଁ ୨ ଡେସିମିଲ୍ ଲେଖାଏଁ ଜମି ଯୋଗାଇ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ସମାନତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ୧୦ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ପ୍ରଦାନ କରାଯାଇଛି, ଯାହା ସେମାନଙ୍କ ଉଚ୍ଚଶିକ୍ଷା ଓ କ୍ୟାରିୟର ଗଠନରେ ସହାୟକ ହେବ। ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଶ୍ରମିକ କଲ୍ୟାଣ ନିମନ୍ତେ ବ୍ୟାପକ ସହାୟତା ରାଶି ବଣ୍ଟନ କରାଯାଇଛି। ବିବାହ ସହାୟତା ଯୋଜନାରେ ୧୧ ଜଣ ହିତାଧିକାରୀଙ୍କୁ କନ୍ୟା ପିଛା ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଅସଂଗଠିତ କ୍ଷେତ୍ରର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହେତୁ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଅନ୍ୟ ୭ ଜଣ ଉତ୍ତରାଧିକାରୀଙ୍କୁ ଜଣ ପିଛା ୩.୦୫ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲାର ବେକାର ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ୧୪ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଏହି ସମାରୋହରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ, ତହସିଲଦାର, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done