ଜିଲ୍ଲାରେ ୧୬ତମ ଜାତୀୟ ଭୋଟର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


 ଆସନ୍ତା ଜାନୁଆରୀ ୨୫ ତାରିଖରେ ୧୬ତମ ଜାତୀୟ ଭୋଟର ଦିବସ ପାଳନ କରିବାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ବର୍ଷର କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ ଓ ସ୍ମରଣୀୟ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯିବା ସହ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଜାନୁଆରୀ ୨୫ ତାରିଖ ସକାଳେ ସହରର ପୁରୁଣା ବସ୍ ଷ୍ଟାଣ୍ଡରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (କଲେକ୍ଟୋରେଟ୍) ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ବା 'ୱାକାଥନ୍' ଆୟୋଜନ କରାଯିବ। ଏହି ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୩୦୦ ରୁ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହ ଜନସାଧାରଣଙ୍କୁ ମତଦାନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବେ। ପଦଯାତ୍ରା ସହିତ ଭୋଟର ସଚେତନତା ବୃଦ୍ଧି ପାଇଁ ରଙ୍ଗୋଲି, ପାଲା ଏବଂ ଲଘୁ ନାଟକ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।

ଜାତୀୟ ଭୋଟର ଦିବସ ଅବସରରେ ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ବିଭିନ୍ନ କଲେଜ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ବୈଠକରେ ସ୍ଥିର କରାଯାଇଛି। ଏହି କ୍ରମରେ, ଝାରସୁଗୁଡାର ଏଲ.ଏନ କଲେଜକୁ "ମୋ ଭାରତ ମୋର ଭୋଟ" ବିଷୟବସ୍ତୁ ଉପରେ କୁଇଜ୍, ପ୍ରବନ୍ଧ ଏବଂ ବିତର୍କ ପ୍ରତିଯୋଗିତା ଆୟୋଜନ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରତ୍ୟେକ ପ୍ରତିଯୋଗିତାର କୃତୀ ଶ୍ରେଷ୍ଠ ତିନି ଜଣ ଅଂଶଗ୍ରହଣକାରୀଙ୍କୁ ଜାନୁଆରୀ ୨୫ ତାରିଖ ଜିଲ୍ଲା ସ୍ତରୀୟ ସମାରୋହରେ ସମ୍ମାନିତ କରାଯିବ। ଉକ୍ତ ପ୍ରସ୍ତୁତି ବୈଠକରେ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ERO ତଥା ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ଏବଂ ଝାରସୁଗୁଡ଼ା ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ଲୋପାମୁଦ୍ରା କାଲୋ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାର ସମସ୍ତ କନିଷ୍ଠ ଓ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇ ଆଗାମୀ ଜାତୀୟ ଭୋଟର ଦିବସ ପାଳନ ନିମନ୍ତେ ନିଜ ନିଜର ସହଯୋଗ ପ୍ରଦାନ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done