ଝାରସୁଗୁଡ଼ାରେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ, ହୋଟେଲରୁ ୨ ବେପାରୀ ଗିରଫ


 ଝାରସୁଗୁଡ଼ାରେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ, ହୋଟେଲରୁ ଗିରଫ 

ରାଜ୍ୟରେ ବଢୁଥିବା ନିଶା କାରବାରକୁ ରୋକିବା ପାଇଁ ପୁଲିସ ଡିଜିପି ଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭ୍ ‘ପ୍ରହାର-୨’କୁ ବଡ଼ ସଫଳତା ମିଳିଛି। ଝାରସୁଗୁଡ଼ା ପୁଲିସ ଏକ ଅତର୍କିତ ଚଢ଼ାଉ କରି ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ମଧ୍ୟପ୍ରଦେଶର ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୦ ତାରିଖରୁ ସମଗ୍ର ରାଜ୍ୟରେ ନିଶା ନିବାରଣ ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, ସହରର ଏକ ହୋଟେଲରେ କିଛି ବ୍ୟକ୍ତି ବେଆଇନ ନିଶାଦ୍ରବ୍ୟ ସହ ରହିଛନ୍ତି। ଏହି ସୂଚନାକୁ ଆଧାର କରି ଗତ ୨୪ ତାରିଖ ଅପରାହ୍ଣରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ହୋଟେଲ ଉପରେ ଚଢ଼ାଉ କରିଥିଲା। ଏନଡିପିଏସ ଆକ୍ଟ ର ସମସ୍ତ  ନିୟମାବଳୀ ପାଳନ ପୂର୍ବକ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ ହୋଟେଲ ରୁମ୍‌ର ତଲାସି ନିଆଯାଇଥିଲା। ତଲାସି ସମୟରେ ସେଠାରେ ଉପସ୍ଥିତ ଥିବା ଦୁଇଜଣ ଯୁବକଙ୍କ ନିକଟରୁ ଏକ ବ୍ୟାଗ୍ ମଧ୍ୟରେ ଗଚ୍ଛିତ ଥିବା ୧୩ କେଜି ୧୩୭ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ର ଭୁମାନି ଦିନ ବିନ୍ଦୁଆ ଏବଂ  ସଚିନ କୁମାର ରାଇକୱାର। ପୁଲିସ ସେମାନଙ୍କ ନିକଟରୁ ଗଞ୍ଜେଇ ବ୍ୟତୀତ ଦୁଇଟି ମୋବାଇଲ ଫୋନ୍, ନଗଦ ୨,୮୦୦ ଟଙ୍କା ଏବଂ ଏକ ବ୍ୟାକପ୍ୟାକ୍ ଜବତ କରିଛି। ଏନେଇ ଝାରସୁଗୁଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ବେଆଇନ କାରବାରରେ ହୋଟେଲ ମାଲିକ କିମ୍ବା ଅନ୍ୟ କର୍ମଚାରୀଙ୍କର କୌଣସି ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done