ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ; ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ସମୀକ୍ଷା


 -ପୋଖରାଶାଲେ ଠାରେ ୩୩/୧୧ କେଭି ବିଦ୍ୟୁତ ସବ୍-ଷ୍ଟେସନ ଲୋକାର୍ପିତ

-କୋଲାବିରା ଠାରେ ମାଣ୍ଡିଆ ଏବଂ ଲଙ୍କା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସମାବେଶ ଆୟୋଜିତ

-ଓପିଜିସି ଏବଂ ଓସିପିଏଲ ର କାର୍ଯ୍ୟଦକ୍ଷତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

*ଝାରସୁଗୁଡ଼ା, ୨୧/୧୨:* ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି। 

ଗସ୍ତର ପ୍ରାରମ୍ଭରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି) ଏବଂ ଓଡ଼ିଶା କୋଲ୍ ପ୍ରାଇଭେଟ୍ ଲିମିଟେଡ୍ (ଓସିପିଏଲ) ର କାର୍ଯ୍ୟାବଳୀର ବିସ୍ତୃତ ସମୀକ୍ଷା କରିଥିଲେ। ଏହି ବୈଠକରେ ରାଜ୍ୟରେ ବର୍ଦ୍ଧିତ ଶକ୍ତି ଉତ୍ପାଦନର ଲକ୍ଷ୍ୟ ହାସଲ ଏବଂ କୋଇଲା ଖଣିର କାର୍ଯ୍ୟାବଳୀ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଉପ ମୁଖ୍ୟମନ୍ତ୍ରୀ ନିରାପତ୍ତା ମାନକକୁ କଡ଼ାକଡ଼ି ପାଳନ କରିବା ସହ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ କର୍ମଚାରୀଙ୍କ କଲ୍ୟାଣ ନେଇ ସେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହାପରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କୋଲାବିରା ଠାରେ ଝାରସୁଗୁଡ଼ାର ବୀର ସନ୍ତାନ ଶହୀଦ କରୁଣାକର ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ବିଶାଳ ପଦଯାତ୍ରାରେ ମଧ୍ୟ ସେ ସାମିଲ ହୋଇଥିଲେ।

ଏହି ଅବସରରେ କୋଲାବିରା ଠାରେ ଆୟୋଜିତ କୃଷକ ସମାବେଶରେ ଉପ ମୁଖ୍ୟମନ୍ତ୍ରୀ ଯୋଗଦେଇ ମାଣ୍ଡିଆ ଓ ଲଙ୍କା ଚାଷୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ମାଣ୍ଡିଆ ଓ ଲଙ୍କା ଚାଷର ଉନ୍ନତି ପାଇଁ ସରକାରଙ୍କ ଯୋଜନା ବିଷୟରେ ଆଲୋଚନା କରିବା ସହ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଆପଣାଇବାକୁ ପରାମର୍ଶ ଦେଇଥିଲେ। ଚାଷୀମାନେ ଲଙ୍କା ଏବଂ ମାଣ୍ଡିଆ ଚାଷ ମାଧ୍ୟମରେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ସଠିକ୍ ବଜାର ବ୍ୟବସ୍ଥା ଏବଂ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି  ଚାଷୀମାନଙ୍କୁ ସମ୍ବୋଧିତ କରି କହିଥିଲେ । ଏଥିସହ ବିଶ୍ୱ ବଜାରରେ ମାଣ୍ଡିଆର ଚାହିଦା ବିଷୟରେ ଆଲୋକପାତ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଏଥିସହ ଉପ ମୁଖ୍ୟମନ୍ତ୍ରୀ ପୋଖରାଶାଲେ ଠାରେ ଟି.ପି ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍ (TPWODL) ର ଏକ ୩୩/୧୧ କେଭି ବିଦ୍ୟୁତ ସବ୍-ଷ୍ଟେସନକୁ ଲୋକାର୍ପିତ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ସହସ୍ରାଧିକ ପରିବାର, କ୍ଷୁଦ୍ର ଶିଳ୍ପ ଏବଂ କୃଷକମାନେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ପାଇପାରିବେ। ବିଦ୍ୟୁତ ବିଭାଗର ଏହି ପ୍ରୟାସକୁ ପ୍ରଶଂସା କରି ସେ କହିଥିଲେ ଯେ, ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ଆଗୁଆ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। 

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପୁରୁଣା ବସ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପୁରାତନ ଛାତ୍ର ଓ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ବୃଦ୍ଧି ଓ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ ପାଇଁ ସରକାରଙ୍କ ସଂକଳ୍ପବଦ୍ଧତା ବିଷୟରେ ସେ ଆଲୋକପାତ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ବରଗଡ଼ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done