ଉଦ୍ଯାପନୀ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ର, ଝାରସୁଗୁଡା ମୁଖ୍ୟ ଶ୍ରୀ ସମୀର ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।
ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରଦର୍ଶନୀ ବୁଲି ଦେଖିବା ପରେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜମିର ପରିମାଣ ସୀମିତ ଥିବାବେଳେ ଜନସଂଖ୍ୟା ସଦାସର୍ବଦା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ସୀମିତ ସମ୍ବଳରେ ଚାଷ କାର୍ଯ୍ୟକୁ ଏକ 'କୃଷି ଶିଳ୍ପ' ଭାବରେ ଦେଖିବାକୁ ପଡିବ। ସେ କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର କରି ଉଚିତ ବଜାର ସଂଯୋଗୀକରଣ ମାଧ୍ୟମରେ ଚାଷୀମାନେ ନିଜ ଆୟକୁ ବହୁଗୁଣିତ କରିବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଶ୍ରୀ ଦାସ ଉପସ୍ଥାପନା କରିଥିଲେ ଯେ ଚାଷ କ୍ଷେତ୍ରରେ ପୂର୍ବାପେକ୍ଷା ଅନେକ ଅଗ୍ରଗତି ହୋଇଛି ଏବଂ ଆଗକୁ ଆହୁରି ଅନେକ ବାଟ ଯିବାର ଅଛି। ସେ ଯୁବ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଥିଲେ ଯେ ଚାଷୀମାନେ ଚାଷ କାର୍ଯ୍ୟରେ ସମୟାନୁବର୍ତ୍ତିତା ରକ୍ଷା କରିବା ସହିତ ଉପଯୁକ୍ତ ଜ୍ଞାନକୌଶଳ ଓ କୃଷି ଯାନ୍ତ୍ରିକରଣକୁ ବ୍ୟବହାର କରି ଚାଷ କଲେ ଅଧିକ ଲାଭବାନ ହୋଇପାରିବେ।
ଏଠାରେ ଉଲ୍ଲେଖଯୋଗ୍ୟ, ଚାଲିଥିବା ଏହି ପାଞ୍ଚ ଦିନିଆ ମେଳାରେ ବିଭିନ୍ନ ବିଭାଗର ୧୫ଟି ଷ୍ଟଲ୍ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୫ଟି କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଷ୍ଟଲ୍ ଲାଗିଥିଲା। ଜିଲ୍ଲାର ଚାଷୀମାନେ ଏହି ମେଳା ମାଧ୍ୟମରେ ବିଭିନ୍ନ କୃଷି ଉପକରଣ ରିହାତି ଦରରେ କିଣିବାର ସୁଯୋଗ ପାଇଥିଲେ। କୃଷି ଏବଂ ଆନୁସଙ୍ଗିକ ବିଭାଗ ତଥା ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ପ୍ରତ୍ୟେକ ବ୍ଲକର ଜଣେ ଲେଖାଏଁ ଚାଷୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏଥିସହ ଚାଷୀମାନଙ୍କୁ ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ମଧ୍ୟ ପ୍ରଦାନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ରୀ ଅନିଲ କୁମାର ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଦୟାସାଗର ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରି ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ବ୍ଲକ କୃଷି ଅଧିକାରୀ ଶ୍ରୀ ଅମ୍ରିତ ଲୁଗୁନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।


0 Comments