ଝାରସୁଗୁଡ଼ା ଜିଲ୍ଲାରେ ୪ ତାରିଖର ବର୍ଷା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଓ କ୍ଷେତକୁ ପାଉଁଶ ମାଡ଼ିଯିବା ଘଟଣାକୁ ନେଇ ପୂର୍ବତନ ବିଧାୟିକା ଦୀପାଳି ଦାସ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଝାରସୁଗୁଡା ବିଧାୟକଙ୍କୁ ଦାୟୀ କରିଛନ୍ତି । ଏନ୍ଏଚ୍ଏଆଇ ବର୍ଷା ଆସିବା କଥା ଜାଣି ମଧ୍ୟ କାହିଁକି ପାଉଁଶ ଉପରେ ମାଟି ଢାଙ୍କି ନଥିଲେ ବୋଲି ଦୀପାଳି ପ୍ରଶ୍ନ କରିଛନ୍ତି । ଏହା ସହିତ ଏହି ପାଉଁଶ ପକାଇବା ନାରେ ବିଧାୟକଙ୍କ ଲୋକମାନଙ୍କ ଭାରୀଯାନ ବ୍ୟବହାର ହେବା ସହିତ ବିଧାୟକ ପାଉଁଶ ପରିବହନରୁ କମିସନ ନେଉଛନ୍ତି ବୋଲି ଦୀପାଳି ଅଭିଯୋଗ କରିଥିଲେ । ଯେଉଁ ବିଧାୟକ ବର୍ଷେ ତଳେ ପାଉଁଶକୁ ନେଇ ଅନ୍ୟ ଉପରେ ଦୋଷ ଦେଉଥିଲେ, ସେ ଝାରସୁଗୁଡାକୁ ପାଉଁଶ ବେପାର କରିବା ପାଇଁ ଆସିଛନ୍ତି ବୋଲି କହିବା ସହିତ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦୀପାଳି ଦାବି କରିଥିଲେ । ତେବେ ବିଜେଡି ର ଏହି ସାମ୍ବାଦିକ ସମ୍ମିଳନୀରେ କରାଯାଇଥିବା ଅଭିଯୋଗ ପରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହାର ଉତ୍ତର ରଖିଛନ୍ତି । ଆଉ ବିଜେଡ଼ି ଦଳର କର୍ମକର୍ତ୍ତା ମାନଙ୍କୁ ସାଇବେରିଆନ୍ ପକ୍ଷୀ ସହିତ ତୁଳନା କରିଛନ୍ତି । ଝାରସୁଗୁଡ଼ାକୁ ଯେଉଁ ମାନେ ପାଉଁଶ ମୟ କରିଦେଇଛନ୍ତି ସେମାନେ ଆଜି ପାଉଁଶ କଥା କହୁଛନ୍ତି । ତାଙ୍କ ସମୟରେ ବେଆଇନ୍ ଭାବେ ନଦୀ, ନାଳ, ପୋଖରୀ, ଏପରିକି ଯେଉଁଠି ଖାଲିସ୍ଥାନ ପାଇଲେ ସେଇଠି ପାଉଁଶ ପକାଇଥିଲେ । ଏହା କ'ଣ ଜନସାଧାରଣଙ୍କ ହିତ ପାଇଁ କରିଥିଲେ କି ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଅଭିଯୋଗ କରୁଥିବା ପୂର୍ବତନ ବିଧାୟିକାଙ୍କ ମା'ଙ୍କ ନାମରେ ରହିଥିବା କମ୍ପାନି ପାଉଁଶ ଟ୍ରାନ୍ସପୋର୍ଟର କଣ୍ଟ୍ରାକ୍ଟ ନେଇଥିଲା । ବନ୍ଧୁକ ମୁନରେ ଦମନ କରାଯାଇଥିଲା । ବିଭିନ୍ନ ବ୍ଳକ୍ ର ଅନେକ ପଞ୍ଚାୟତରେ କିଏ ପାଉଁଶ ପୋତିଥିଲେ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଏହା ଯୋଗୁଁ ଆଜି କୋଟିକୋଟି ଟଙ୍କା ଆୟକର ବିଭାଗ ପକ୍ଷରୁ ଜରିମାନା ଲାଗିଛି । ଚାଷୀଙ୍କ ଜମିରେ ପାଉଁଶ ମାଡ଼ିଗଲା ଯେ ଆପଣ ଦୁଃଖିତ ନା ଆପଣଙ୍କ ପରିବାର କମ୍ପାନି ପାଉଁଶ ପରିବହନ କରିପାରିଲା ନାହିଁ ବୋଲି ଆପଣ ଦୁଃଖିତ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ଦିପାଳୀଙ୍କୁ ପ୍ରଶ୍ନ କରିଛନ୍ତି । ଏହା ସହିତ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ।
0 Comments